ଧଉଳି ପାଇଁ ୧ କୋଟି ମଞ୍ଜୁର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଧଉଳି ଶାନ୍ତି ସ୍ଥୂପର ମରାମତି, ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ଏବଂ ଏହାର ଆଖପାଖ ଅଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଖୋର୍ଦ୍ଧା ପ୍ରକଳ୍ପ ଅଧିକାରୀଙ୍କ ୨୦୧୯-୨୦ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡ(ଏସ୍‌ପିଏଫ୍‌) ଆକାଉଣ୍ଟରେ ଥିବା ୭୭୧.୮୩ ଲକ୍ଷ ଟଙ୍କାରୁ ଉକ୍ତ ଅର୍ଥ ଦେବାକୁ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଖୋର୍ଦ୍ଧା ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅର୍ଥ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିବା ନେଇ ଜିଲାପାଳ ନିଶ୍ଚିତ କରିବେ। ଅର୍ଥ ଖର୍ଚ୍ଚ ନେଇ ବିଭାଗକୁ ବିନିଯୋଗ ପ୍ରମାଣପତ୍ର(ୟୁସି) ଦେବାକୁ କୁହାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଧଉଳି ଶାନ୍ତି ସ୍ଥୂପର ମରାମତି, ରକ୍ଷଣାବେକ୍ଷଣ ସହ ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ଏସ୍‌ପିଏଫ୍‌ରୁ ୧ କୋଟି ଟଙ୍କା ଯୋଗାଇ ଦେବାକୁ ଉନ୍ନୟନ କମିଶନରଙ୍କୁ ଏପ୍ରିଲ ୩୦ ତାରିଖରେ ଚିଠି ଲେଖିଥିଲେ। ଧଉଳିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି।

Share