Categories: ଖେଳ

ଭାରତୀୟ ଫୁଟବଲ ଦଳକୁ ମିଳିଲା ୧ କୋଟି

ଭୁବନେଶ୍ୱର,୨୦ା୬ (ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ କପ ଚାମ୍ପିୟନ ଭାରତୀୟ ଦଳକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ରବିବାର ଲେବାନନକୁ ୨-୦ରେ ପରାସ୍ତ କରି ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ଏହି ଚେକ୍‌ ପ୍ରଦାନ କରିଥିଲେ। ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ ଓ ସର୍ବ ଭାରତୀୟ ଫୁଟବଲ ଫେଡେରେଶନ ସମ୍ପାଦକ ଶାଜି ପ୍ରଭାକରନ ଏହି ପୁରସ୍କାର ରାଶି ଗ୍ରହଣ କରିଥିଲେ। ଆସନ୍ତା ସାଫ୍‌ ଚାମ୍ପିୟନଶିପ୍‌ ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳକୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ଓଡ଼ିଶାରେ ମିଳିଥିବା ଆତିଥେୟତା ସହିତ ଅର୍ଥ ପୁରସ୍କାର ପାଇଁ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ବାହାନଗା ପାଇଁ ୨୦ ଲକ୍ଷ: ଭାରତୀୟ ଦଳକୁ ୧ କୋଟି ଟଙ୍କାର ପୁରସ୍କାର ମିଳିବା ପରେ ଏଥିରୁ ୨୦ ଲକ୍ଷ ଟଙ୍କାର ବାହାନଗାର ଦୁର୍ଘଟଣା ପୀଡିତଙ୍କୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସମସ୍ତ ଖେଳାଳି। ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ କାର୍ଯ୍ୟରେ ଏହି ଅର୍ଥ ବ୍ୟବହୃତ ହେବ। ଆର୍ଥତ୍କ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ, ଫୁଟବଲ ଡ୍ରେସିଂରୁମ୍‌ ତୁରନ୍ତ ଏଥିରୁ ୨୦ ଲକ୍ଷ ଟଙ୍କା ଦାନ କରିବା ପାଇଁ ନିଷ୍ପତ୍ତି ନେବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ଭାରତୀୟ ଫୁଟବଲ ଦଳ ପକ୍ଷରୁ ଟୁଇଟ୍‌ କରାଯାଇଥିଲା।

Share