Categories: ଜାତୀୟ

୫ ବର୍ଷରେ ୧% ମହିଳାଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ,୮।୫: ଭାରତରେ ମାତ୍ର ୩୨% ବିବାହିତା ମହିଳା ଓ ଝିଅ (୧୫ରୁ ୪୯ ବର୍ଷୀୟା) ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩% ରୋଜଗାର କରୁଥିବାବେଳେ ଅବଶିଷ୍ଟ ୧୫ ପ୍ରତିଶତ ଅର୍ଥ ଉପାର୍ଜନ କରନ୍ତି ନାହିଁ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ପକ୍ଷରୁ ୨୦୧୯-୨୧ରେ କରାଯାଇଥିବା ପଞ୍ଚମ ପର୍ଯ୍ୟାୟ ସର୍ଭେରୁ ଏହି ଉଦ୍‌ବେଗଜନକ ବିଷୟ ସାମ୍ନାକୁ ଆସିଛି। ପୂର୍ବରୁ ୨୦୧୫-୧୬ରେ କରାଯାଇଥିବା ଏନ୍‌ଏଫ୍‌ଏଚ୍‌ଏସ୍‌-୪ ସର୍ଭେରେ ମହିଳାଙ୍କ ନିଯୁକ୍ତି ୩୧% ଥିବାବେଳେ ଏବେ ଏଥିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି। ସେହିପରି ଅର୍ଥ ଉପାର୍ଜନକାରୀ ମହିଳାଙ୍କ ସଂଖ୍ୟା ମଧ୍ୟ ମାତ୍ର ୩% ବଢ଼ିଛି।

ସଦ୍ୟ ରିପୋର୍ଟ ଅନୁସାରେ ପୁରୁଷଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆସିନାହିଁ। ଦେଶରେ ୧୫ରୁ ୪୯ ବୟସ ବର୍ଗର ୯୮% ପୁରୁଷଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେମାନଙ୍କ ମଧ୍ୟରୁ ୯୧% ଅର୍ଥ ଉପାର୍ଜନ କରୁଥିବାବେଳେ ବର୍ତ୍ତମାନ ଏହା ୯୫%ରେ ପହଞ୍ଚତ୍ଛି। କର୍ମଜୀବୀ ମହିଳାଙ୍କ ମଧ୍ୟରୁ ୮୩% ଦରମା କିମ୍ବା ଅନ୍ୟ ପ୍ରକାର ପାରିଶ୍ରମିକ ପାଇଥାଆନ୍ତି। ହେଲେ ୧୫% ମହିଳାଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଅର୍ଥ ଦିଆଯାଇ ନ ଥାଏ। ଏପରି କି ମହିଳାମାନଙ୍କ ଜୀବନ ଶୈଳୀରେ ମଧ୍ୟ କୌଣସି ପରିବର୍ତ୍ତନ ଆସିନାହିଁ। ୫ ବର୍ଷ (୨୦୧୫-୧୬ରୁ ୨୦୧୯-୨୧) ମଧ୍ୟରେ ମହିଳାଙ୍କ ନିଯୁକ୍ତିରେ ମାତ୍ର ୧% ବୃଦ୍ଧି ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ପପୁଲେଶନ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପୁନମ୍‌ ମୁଟ୍ଟ୍ରେଜା କହିଛନ୍ତି। ପୁନମ୍‌ଙ୍କ ମତରେ ଦେଶର ଅନେକ ରାଜ୍ୟରେ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବାରେ ଲାଗିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ରୁ ଏହା ପ୍ରତିଫଳିତ ହେଉଛି। ତେଣୁ ମହିଳାଙ୍କ ସ୍ବାଧୀନତା ତଥା ସୁଯୋଗର ବିସ୍ତାର ଲାଗି ସରକାରୀ ସ୍ତରରେ ଅଧିକ ଉଦ୍ୟମ ଓ ପୁଞ୍ଜିନିବେଶର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଆଇଏମ୍‌ଇ) ପକ୍ଷରୁ ନିକଟରେ ପ୍ରକାଶିତ ଡାଟା ଅନୁସାରେ ଲକ୍ଷ ଲକ୍ଷ ଭାରତୀୟ ବିଶେଷକରି ମହିଳାମାନେ ବିଗତ ୫ ବର୍ଷରେ ଚାକିରି ଖୋଜିବା ବନ୍ଦ କରିଦେଇଛନ୍ତି। କାରଣ ଦେଶରେ ନୂଆ ନିଯୁକ୍ତି ମିଳୁ ନ ଥିବାରୁ ସେମାନେ ହତାଶ ହୋଇଯାଇଛନ୍ତି। ଗତ ମାର୍ଚ୍ଚରେ ଦେଶରେ ବେକାରି ହାର ୭.୬% ଥିବାବେଳେ ଏପ୍ରିଲରେ ଏଥିରେ ୦.୨୩ ପ୍ରତିଶତ ବୃଦ୍ଧି ଘଟି ୭.୮୩% ଛୁଇଁଥିଲା। ଗ୍ରାମାଞ୍ଚଳରେ ପୂର୍ବ ମାସରେ ଏହି ହାର ୭.୧୮% ଥିବାବେଳେ ଏପ୍ରିଲରେ ୭.୨୯% ଥିବା ସିଆଇଏମ୍‌ଇ ଦର୍ଶାଇଛି।

Share