ନାସିକ୍,୧।୧: ମହାରାଷ୍ଟ୍ରର ନାସିକ୍ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପ୍ଲାଣ୍ଟର ଏକ ବଏଲରରେ ହଠାତ୍ ବିସ୍ଫୋରଣ ଘଟିଥିଲା। ପରେ ପ୍ଲାଣ୍ଟରେ ନିଆଁ ଲାଗି ତାହା ବ୍ୟାପିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ହେଲେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ଅନ୍ୟପକ୍ଷେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଗାଁକୁ ଏହା ଶୁଭିଥିଲା। ଏଥିଯୋଗୁ ନିକଟ ଅଞ୍ଚଳସବୁ ଧୂଆଁମୟ ହୋଇଯାଇଥିଲା। ଖବର ଅନୁସାରେ, ଉକ୍ତ ପ୍ଲାଣ୍ଟରେ ୨୦ରୁ ୨୫ ଲୋକ କାମ କରନ୍ତି। ହେଲେ ନୂଆବର୍ଷ ଉପଲକ୍ଷେ ରବିବାର କର୍ମଚାରୀଙ୍କ ସଂଖ୍ୟା କମ୍ ରହିଥିଲା।