ଖାଲି ପାଦରେ ୧ କି.ମି. ଦୌଡ଼ିଥିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ‘ଉଲଝ୍‌ ’ ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ସହ ରୋଶନ୍‌ ମାଥ୍ୟୁ ଓ ଗୁଲ୍‌ଶାନ ଦେବେୟା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ବିନୀତ ଜୈନଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ସାରିଆ ଦେଇଛନ୍ତି। ଫିଲ୍ମରେ ଜାହ୍ନବୀ ଜଣେ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଫିଲ୍ମର କ୍ଲାଇମାକ୍ସ ଦୃଶ୍ୟକୁ ନେଇ ନିର୍ଦ୍ଦେଶକ ସୁଧାଂଶୁ ସାରିଆ ଏକ ରୋଚକ ତଥ୍ୟ ରଖିଛନ୍ତି।
ସାକ୍ଷାତ୍‌କାରରେ ସୁଧାଂଶୁ କହିଛନ୍ତି, ଉଲଝ୍‌ ଚଳଚ୍ଚିତ୍ରର ଅଧିକାଂଶ ଦୃଶ୍ୟ ଲଣ୍ଡନରେ ଶୁଟିଂ କରାଯାଇଛି। ତେବେ ଫିଲ୍ମର କ୍ଲାଇମାକ୍ସ ଦୃଶ୍ୟ ଭୋପାଳରେ ଶୁଟିଂ ହୋଇଥିଲା। କ୍ଲାଇମାକ୍ସ ଦୃଶ୍ୟର ଶୁଟିଂ ପୂର୍ବ ରାତିରେ ଭୋପାଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ସେଟ୍‌ ନଷ୍ଟ ହେବା ସହ ସହରର ରାସ୍ତାଘାଟ କାଦୁଅରେ ପରିପୂର୍ଣ୍ଣ ହୋଇଯାଇଥିଲା। ତେବେ ସିନ୍‌ ଅନୁଯାୟୀ ଜାହ୍ନବୀଙ୍କୁ ଭୋପାଳର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖାଲି ପାଦରେ ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ଦୌଡ଼ିବାକୁ ପଡ଼ିଥିଲା। ତେବେ ଉକ୍ତ ରାସ୍ତାରେ ଦୌଡ଼ିବା ସମୟରେ ଜାହ୍ନବୀଙ୍କୁ କିଛି ସମସ୍ୟା ହୋଇଥିବା ସୁଧାଂଶୁ କହିଛନ୍ତି। ତେଣୁ ଏହି ଦୃଶ୍ୟ ପାଇଁ ତାଙ୍କୁ ଅନେକବାର ଟେକ୍‌ ନେବାକୁ ପଡ଼ିଥିଲା। ଏହି ସିନ୍‌ର ଶୁଟିଂ ବେଳେ ଜାହ୍ନବୀ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ତେବେ ଫିଲ୍ମ ସେଟ୍‌ରେ ସମସ୍ତେ ଜାହ୍ନବୀଙ୍କ କାର୍ଯ୍ୟକୁ ବହୁତ ପସନ୍ଦ କରିଥିବା ସୁଧାଂଶୁ କହିଛନ୍ତି।

Share