ଡ୍ରଇଂ ଶିଟ୍‌ରେ ୧ ଲକ୍ଷ ୧୦୮ ରାମ ନାମ

କେନ୍ଦୁଝର, ୧୬ା୫(ଡି.ଏନ୍‌.ଏ.): କେନ୍ଦୁଝର ପୁରୁଣା ସହରର ପ୍ରସନ୍ନ ପତିଙ୍କ କନ୍ୟା ସୁଶ୍ରୀ ସୁମନ ପତି ୨୮ ଇଞ୍ଚ ଓସାର, ୩୪ ଇଞ୍ଚ ଲମ୍ବ ବିଶିଷ୍ଟ ଏକ ଡ୍ରଇଂ ଶିଟ୍‌ରେ ୧ ଲକ୍ଷ ୧୦୮ ଥର ରାମ ନାମ ଲେଖିଛନ୍ତି। ଏହି ଲେଖା ମାଧ୍ୟମରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି। ପେନ୍‌ ଓ ସ୍କେଜ୍‌ ସାହାଯ୍ୟରେ ନିଖୁଣ କଳା କାରିଗରି ବଳରେ ଦୀର୍ଘ ୧୪ ଦିନ ପରିଶ୍ରମ କରି ସେ ଏହା ଆଙ୍କିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଚିତ୍ର ଆଙ୍କିବା ସମୟରେ ମାର୍ଚ୍ଚ ୧୭ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ଆବେଦନ କରିଥିଲେ। ତାହା ଏବେ ଘୋଷଣା ସହ ତାଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି। ଅନନ୍ୟ ପ୍ରତିଭା ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୁଶ୍ରୀ ସୁମନ୍‌ ପେଣ୍ଟିଂ ସହ ସ୍ୟାଣ୍ଡ ଆର୍ଟ ଏବଂ ଆନିମେଶନରେ ମଧ୍ୟ ରୁଚି ରଖିଛନ୍ତି। ସେ ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଥିବା ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆନିମେଶନରେ ଡିପ୍ଲୋମା କରିଛନ୍ତି। ସୁଶ୍ରୀ ଆନ୍ତର୍ଜାତିକ ସ୍ୟାଣ୍ଡ୍‌ ଆର୍ଟିଷ୍ଟ ଆୱାର୍ଡ ଏବଂ ଯୁବ କଳାକାର ଆୱାର୍ଡ ଆଦି ବହୁ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ବର୍ତ୍ତମାନ ସେ କେନ୍ଦୁଝର ସହରର ପୁରୁଣାବଜାର ଏବଂ ମାଇନିଂ ରୋଡ୍‌ରେ ଗାୟତ୍ରୀ ନାମକ କଳା ଶିକ୍ଷାନୁଷ୍ଠାନ କରି ଶିଶୁମାନଙ୍କୁ ପେଣ୍ଟିଂ, ଆନିମେଶନ ଶିକ୍ଷା ଦେଉଛନ୍ତି। ସେ ନୂଆ ନୂଆ କଳା, କାରିଗରି କରି ବିଶ୍ୱସ୍ତରୀୟ ରେକର୍ଡ ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି।