Categories: ଖେଳ

୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଦେଖିବେ ବିଶ୍ୱକପ୍‌

ଭୁବନେଶ୍ୱର,୧୮ା୧୦(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଉପଭୋଗ କରିବେ। ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ଏବଂ ଫିଫା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୩ଟି ଯାକ ଭେନ୍ୟୁରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶ୍ୱକପ ଆୟୋଜନକୁ ଏକ ସପ୍ତାହ ପୁରିଥିବା ବେଳେ ଦର୍ଶକଙ୍କ ପକ୍ଷରୁ ଏହାକୁ ଢେର ସାରା ଭଲ ପାଇବା ମିଳିଛି। ୩ଟି ଯାକ ଭେନ୍ୟୁରେ କୁନି କୁନି ଦର୍ଶକଙ୍କ ଉପସ୍ଥିତି ଖେଳାଳି ମାନଙ୍କୁ ମଧ୍ୟ ଉତ୍ସାହିତ କରୁଛି। ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ମ୍ୟାଚ ଗୁଡିକରେ ମଧ୍ୟ ଏମିତି ଦୃଶ୍ୟ ଦେଖିବାକୁ ମିଳିବ। ଛାତ୍ରୀ ଛାତ୍ର ମାନଙ୍କ ନାଚ ଗୀତ ଓ ସେଲିବ୍ରେସନ ମୋ ପାଈଁ ଶ୍ରେଷ୍ଠ ମୂହୂର୍ତ୍ତ ଥିଲା ବୋଲି ଫିଫାର ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଜେମି ୟାରଜା ପ୍ରକାଶ କରିଛନ୍ତି। କୋଭିଡ କାରଣରୁ ଭାରତରେ ଟୁର୍ନାମେଣ୍ଟ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଥିଲା। ତେବେ ସଫଳତାର ସହିତ ଟୁର୍ନାମେଣ୍ଟ ଆୟୋଜନ ଦେଖି ଖୁସି ଲାଗୁଛି।
ଛାତ୍ରୀଛାତ୍ର ମାନଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ୟାରଜା କହିଥିଲେ। ୩ ରାଜ୍ୟର କ୍ରୀଡାମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଯୋଜନା କରାଯାଇଥିଲା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଦିନ ୩ ହଜାର ଛାତ୍ରୀଛାତ୍ର ଖେଳ ଦେଖିଥିବା ବେଳେ ନଭି ମୁମ୍ବାଇରେଏହି ସଂଖ୍ୟା ୫୦୦୦-୬୦୦୦ ରହିଥିଲା। ଫାଇନାଲ ବେଳକୁ ଏହ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ସେହିପରି ସମଗ୍ର ଟୁର୍ନାମେଣ୍ଟରେ ୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ପାଈବେ ବୋଲି ଏଲ୍‌ଓସି ନିର୍ଦ୍ଦେଶକ ନନ୍ଦିନୀ ଅରୋରା କହିଛନ୍ତି।

Share