କୁଶଳୀ ହେବେ ଲକ୍ଷେ କୋଭିଡ୍‌ ଯୋଦ୍ଧା

ନୂଆଦିଲ୍ଲୀ, ୧୯।୬(ପି.ଟି.): ଦେଶର ଲକ୍ଷେରୁ ଊର୍ଦ୍ଧ୍ୱ କୋଭିଡ୍‌ ଯୋଦ୍ଧାଙ୍କୁ କୁଶଳୀ ତଥା ଅତିକୁଶଳୀ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂକ୍ଷିପ୍ତ ଶିକ୍ଷା ପାଠ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। କରୋନା ଭୂତାଣୁ ଏବେ ବି ଆମ ଭିତରେ ରହିଛି ଏବଂ ଏହା ନୂଆ ରୂପ ନେବା ସମ୍ଭାବନା ଥିବାରୁ ସମସ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଜୁନ୍‌ ୨୧ରୁ ସମସ୍ତଙ୍କୁ ମାଗଣାରେ କୋଭିଡ୍‌ ଟିକା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଆଗକୁ ଆସିବାକୁ ଥିବା ଚ୍ୟାଲେଞ୍ଜର ମୁକାବିଲା ଲାଗି ଆମର ପ୍ରସ୍ତୁତିକୁ ଆହୁରି ବଢ଼ାଇବାକୁ ହେବ। ଏହାକୁ ଲକ୍ଷ୍ୟରେ ରଖି ୧ ଲକ୍ଷ କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରସ୍ତୁତି କରାଇବା ନିମନ୍ତେ ଦେଶରେ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ୧୫୦୦ ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସବୁ ଜିଲାରେ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଉଦ୍ୟମ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଂକ୍ଷିପ୍ତ ପାଠ୍ୟକ୍ରମ ଜରିଆରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ଗୃହ ଯତ୍ନ, ମୌଳିକ ଯତ୍ନ, ଅଗ୍ରିମ ଯତ୍ନ, ଜରୁରୀ ଯତ୍ନ, ନମୁନା ସଂଗ୍ରହ ଏବଂ ମେଡିକାଲ ଉପକରଣ ସହାୟତା ଉପରେ ତାଲିମ ଦିଆଯିବ। ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ୩.୦ରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏଥିପାଇଁ ୨୭୬ କୋଟି ଟଙ୍କା ବ୍ୟୟ ହେବ ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି।

Share