ନଷ୍ଟ ହେବ ଲକ୍ଷେ ଗ୍ରୀନ୍‌ କାର୍ଡ

ଓ୍ବାଶିଂଟନ, ୭।୮: ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ଲକ୍ଷେ ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ନଷ୍ଟ ହେବାକୁ ଯାଉଛି, ଯାହା ସେଠାରେ ଥିବା ଭାରତୀୟ ପେସାଦାରମାନଙ୍କୁ କ୍ଷୁବ୍ଧ କରିଛି। ଆଇନଗତ ସ୍ଥାୟୀ ବାସିନ୍ଦା ଅନୁମତି ପାଇବା ପାଇଁ ସେମାନଙ୍କ ପ୍ରତୀକ୍ଷା ଆଉ କେତେ ଦଶନ୍ଧି ବଢ଼ିଯିବ ବୋଲି କୁହାଯାଉଛି। ସରକାରୀ ଭାବେ ସ୍ଥାୟୀ ଆବାସ କାର୍ଡ ରୂପେ ଜଣାଶୁଣା ଗ୍ରୀନ୍‌ କାର୍ଡ ଇମିଗ୍ରେଶନ ବିଭାଗ ପକ୍ଷରୁ ଇସ୍ୟୁ କରାଯାଇଥାଏ। ଏହି କାର୍ଡଧାରୀଙ୍କୁ ଆମେରିକାରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ନିଯୁକ୍ତିଭିତ୍ତିକ ପ୍ରବାସୀ କୋଟା ୨,୬୧,୫୦୦। ଆଇନ ଅନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ଯଦି ସେମାନଙ୍କୁ ଭିଜା ଦିଆ ନ ଯାଏ, ତେବେ ସେମାନେ ସବୁଦିନ ପାଇଁ ଏହି ସୁଯୋଗରୁ ବଞ୍ଚତ୍ତ ହେବେ। ତେବେ ଲକ୍ଷାଧିକ ଗ୍ରୀନ୍‌ କାର୍ଡ ନଷ୍ଟ କରିବା ପାଇଁ ଆମେରିକା ନାଗରିକ ଓ ପ୍ରବାସୀ ସେବା ବିଭାଗ ପ୍ରସ୍ତାବ ଦେଇଛି। ଜୋ ବାଇଡେନ୍‌ ପ୍ରଶାସନ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଚଳିତ ବର୍ଷ ଉପଲବ୍ଧ ହେବାକୁ ଥିବା ଅତିରିକ୍ତ ଲକ୍ଷେ ଗ୍ରୀନ୍‌ କାର୍ଡ ନଷ୍ଟ ହେବ ବୋଲି ଭାରତୀୟ ପେସାଦାର ସନ୍ଦିପ୍‌ ପାଓ୍ବାର କହିଛନ୍ତି।

Share