କାରରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଜଣଙ୍କୁ ଧରିଲା ଅବକାରୀ ବିଭାଗ

ସମ୍ବଲପୁର,୧୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ଶାସନ ଛକ ନିକଟରେ ରବିବାର ଜିଲା ଅବକାରୀ ଗୋଇନ୍ଦା ବିଭାଗ ଯାଞ୍ଚ ବେଳେ ଏକ କାର୍‌ରୁ ୧ କୁଇଣ୍ଟାଲ ୨ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ଉତ୍ତରପ୍ରଦେଶର ମନୋଜ ରାଜବର ଓ ସନ୍ତୋଷ ପାଠକଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ହୋଇଥିବା ବେଳେ ଗାଡ଼ିର ଦାମ୍‌ ୫ ଲକ୍ଷ ଟଙ୍କା ହେବ ବୋଲି ଗୋଇନ୍ଦା ବିଭାଗ ଡେପୁଟି କମିଶନର ରବୀନ୍ଦ୍ର ବାତ୍ରା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସକାଳେ ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ସମ୍ବଲପୁର-ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ୍‌ ୱେର ଶାସନଠାରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ଉତ୍ତରପ୍ରଦେଶ ନମ୍ବର ଥିବା ଏକ ଟାଟା ସୁମୋ (ନଂ.ୟୁପି ୬୩ ଜି ୦୧୭୯)କୁ ସନ୍ଦେହ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ଅଧିକାରୀମାନେ କାରରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଏହି ଗଞ୍ଜେଇ କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ଅବକାରୀ ବିଭାଗ ସୂଚନା ଦେଇଛି।

Share