ଭେଣ୍ଟିଲେଟର ପାଇଁ ୧ ଟଙ୍କା

ବରଗଡ଼ ଅଫିସ୍‌,୭।୫: ବରଗଡ଼ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦୦ ଭେଣ୍ଟିଲେଟର ସମେତ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କରିଛନ୍ତି । ଉଦ୍‌ଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗରିବ ଲୋକଙ୍କୁ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ବିକାଶ ଗ୍ରୁପ୍‌ର ଚେୟାରମ୍ୟାନ ଡି. ମୁରଲିକ୍ରିଷ୍ଣାଙ୍କୁ ପରାମର୍ଶ ଦେଇଥିଲେ । ଏହି କ୍ରମରେ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି, ଭେଣ୍ଟିଲେଟର ଖର୍ଚ୍ଚ ପାଇଁ ଦୈନିକ ୫ରୁ ୭ହଜାର ଟଙ୍କା ଦେବାକୁ ପଡ଼ିଥାଏ। ମାତ୍ର ଗରିବ ଲୋକଙ୍କ ପାଇଁ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ୧ଟଙ୍କାରେ ଭେଣ୍ଟିଲେଟର ସୁବିଧା ଯୋଗାଇ ଦେବ। ସେହିପରି ବରଗଡ଼ ଜିଲା ପ୍ରଶାସନ ପାଇଁ ୧୫ଟି ଆଇସିୟୁ ଶଯ୍ୟା ସଂରକ୍ଷିତ ରହିଛି। ଜିଲା ପ୍ରଶାସନର ସୁପାରିଶକ୍ରମେ ବରଗଡ଼ ଜିଲାବାସୀ ମାଗଣାରେ ଏହି ଚିକିତ୍ସା ସୁବିଧା ପାଇପାରିବେ। ସେହିପରି ଜିଲା ପ୍ରଶାସନ ଚାହିଁଲେ ଏହାକୁ ଆହୁରି ବୃଦ୍ଧି କରାଯିବ। ଏହାସହିତ ଜିଲାପାଳ କିମ୍ବା ଜିଲାର ଜନ ପ୍ରତିନିଧିମାନେ ଯଦି କୌଣସି ଗରିବ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଉକ୍ତ ହସ୍ପିିଟାଲକୁ ପଠାଇବେ, ତେବେ ସେମାନଙ୍କଠାରୁ ଭେଣ୍ଟିଲେଟର ଖର୍ଚ୍ଚ ନିଆଯିବ ନାହିଁ। କେବଳ ଔଷଧ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ସେମାନଙ୍କୁ ବହନ କରିବାକୁ ପଡିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

Share