ଏବେ ଖୋଲିବନି ୧ମରୁ ୮ମ ଶ୍ରେଣୀ

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ରାଜ୍ୟରେ ଏବେ ୧ମରୁ ୮ମ ଶ୍ରେଣୀ ଖୋଲିବ ନାହିଁ। ମହାରାଷ୍ଟ୍ର, କେରଳ, ଗୁଜରାଟ ଆଦି କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ଛନକା ପଶିଛି। ବିଶେଷକରି ରାଜ୍ୟର ଶିକ୍ଷା ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଆସୁଥିବାବେଳେ ୧ରୁ ୮ମ ଶ୍ରେଣୀ ଖୋଲିବା ନେଇ ଆଶଙ୍କା ଦେଖାଦେଇଛି। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ରାଜ୍ୟର ୧ମରୁ ୮ମ ଶ୍ରେଣୀ ଖୋଲିବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ଏନେଇ ବିଚାର ବିମର୍ଷ ଚାଲିଛି। କିନ୍ତୁ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବା ମନ୍ତ୍ରୀ ଦାଶ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ କରୋନା କୋପ କମିବା ପରେ ଦୀର୍ଘ ୯ ମାସ ପରେ ଜାନୁୟାରୀ ମାସରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିଥିଲା। ପରେ ନବମ ଓ ଏକାଦଶ ସହିତ ଅଙ୍ଗନଓ୍ବାଡ଼ିଗୁଡ଼ିକ ଖୋଲିଥିଲା। ଖୁବ୍‌ଶୀଘ୍ର ଅର୍ଥାତ୍‌ ଚଳିତ ମାସ ଶେଷ ଆଡ଼କୁ କିମ୍ବା ମାର୍ଚ୍ଚ ପହିଲାବେଳକୁ ସ୍କୁଲ ଖୋଲିଯିବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ବିଭାଗ ପକ୍ଷରୁ ଏସ୍‌ଓପି ପ୍ରସ୍ତୁତି ମଧ୍ୟ ହେଉଥିଲା। କିନ୍ତୁ ଅନ୍ୟ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖାଦେବା ପରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ସ୍କୁଲରେ କରୋନା ଯେପରି ନ ବ୍ୟାପେ ସେଥିନିମନ୍ତେ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share