ଖନନ ପାଇଁ ୧୨ ବର୍ଷରେ ୧୦.୫୫ କୋଟି ଖର୍ଚ୍ଚ

ପଟ୍ଟାମୁଣ୍ଡାଇ, ୪।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡ଼ୁଛି। ଏହି ନଦୀକୁ ପୁନରୁଦ୍ଧାର ପାଇଁ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବ୍ଲକର ଅଧିବାସୀମାନେ ବାରମ୍ବାର ଦାବି କରିଆସୁଛନ୍ତି। ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ପୋତି ହୋଇପଡ଼ିଥିବା ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ଏମ.ଏନ. ହାଇସ୍କୁଲ ନିକଟରେ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରିଥିଲେ। ୧୬ କି.ମି. ବ୍ୟାପୀ ଗୋବରୀ ନଦୀ ପୁନରୁଦ୍ଧାର ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଅଧାରୁ କାମ ଛାଡ଼ି ଚାଲି ଯାଇଥିଲେ। ଏହି କାମ ପାଇଁ ୩ କୋଟି ଟଙ୍କା ବିଲ୍‌ ହୋଇଥିବା କେନ୍ଦ୍ରାପଡ଼ା ଡ୍ରେନେଜକଟ କନିଷ୍ଠଯନ୍ତ୍ରୀ ନୀହାର ରଞ୍ଜନ ରାଉତରାୟ କହିଛନ୍ତି। ଖନନ କାର୍ଯ୍ୟ ଅଧାରୁ ବନ୍ଦ ହେବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗୋବରୀ ନଦୀ ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ପଟ୍ଟାମୁଣ୍ଡାଇଠାରେ ଏହାର ସବ୍‌ଡିଭିଜନ କାର୍ଯ୍ୟାଳୟ ରହିଛି। ହେଲେ ରାଜ୍ୟ ସରକାର ଏହାର ଖନନ କାର୍ଯ୍ୟର ତଦାରଖ ପାଇଁ ଡ୍ରେନେଜ କଟ ବିଭାଗକୁ ଦାୟିତ୍ୱ ଅର୍ପଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଖନନ କାର୍ଯ୍ୟ କରୁଥିବା ଠିକାଦାର ଗୋବରୀ ନଦୀକୂଳରେ ଜେସିବି ମେଶିନ ରଖି ଖନନ କାର୍ଯ୍ୟ ଯେନତେନ ପ୍ରକାର କରି ଚାଲିଯାଇଥିଲେ। ପାଣିର ସ୍ରୋତକୁ ଅଟକାଇବା ପାଇଁ ମଝିରେ ମଝିରେ ନଦୀ ମଧ୍ୟରେ ଆଡ଼ି ବନ୍ଧ ନିର୍ମାଣ କରିଥିଲେ। ଫଳରେ ନଦୀ ଜଳସ୍ରୋତ ବାଧା ପାଇବା ଓ ଏଥିରେ କଟକୀ ଦଳ ଭର୍ତ୍ତି ହୋଇ ରହିବା କାରଣରୁ ଓଲଟି ସମ୍ପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତି ହୋଇପଡ଼ିଥିଲା। ଦୀର୍ଘବର୍ଷ ବ୍ୟବଧାନ ପରେ ବାରମ୍ବାର ଲୋକମାନଙ୍କ ଦାବି କାରଣରୁ ରାଜ୍ୟ ସରକାର ପୁଣି ୧୬ କି.ମି ବ୍ୟାପୀ ଗୋବରୀ ନଦୀର ଖନନ ପାଇଁ ଡ୍ରେନେଜକଟ୍‌ ବିଭାଗକୁ ଦାୟିତ୍ୱ ଦେଇଥିଲେ। ଡ୍ରେନେଜ କଟ୍‌ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୭.୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବରୀ ନଦୀ ଖନନ କରାଯିବା କାର୍ଯ୍ୟକୁ ଓଡ଼ିଶା କନ୍‌ଷ୍ଟ୍ରକ୍ସନ କମ୍ପାନୀ(ଓସିସି)କୁ ଦାୟିତ୍ୱ ଦିଆଯାଇଥିଲା। ଓସିସି ୧୬ କିମି ନଦୀ ଖନନ କରିବା ପରିବର୍ତ୍ତେ ମାତ୍ର ୬ କିମି ଖନନ କରି କାମ ବନ୍ଦ କରି ଦେଇଥିଲା। ଏବେ ପୁଣି କଟକୀ ଦଳରେ ନଦୀ ଭର୍ତ୍ତି ହୋଇ ପୂର୍ବାପେକ୍ଷା ଅଧିକ ପୋତି ହୋଇପଡିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ କେନ୍ଦ୍ରାପଡା ଡ୍ରେନେଜ୍‌କଟ୍‌ ନିର୍ବାହୀଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରେ ଗୋବରୀ ନଦୀକୁ ପୁନରୁଦ୍ଧାର କରିବାକୁ ଆଉ ଏକ ଟେଣ୍ଡର ଆହ୍ବାନ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ମାତ୍ର ବର୍ଷାଦିନ ଆରମ୍ଭ ହେବାକୁ ଥିବାବେଳେ କିପରି ନଦୀ ଖନନ କାର୍ଯ୍ୟ ହେବ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋବରୀ ନଦୀ ଖନନ ହେଲେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ୩୦ରୁ ଅଧିକ ପାଟ ନାଳି ମଧ୍ୟ ଦେଇ ଚାଷଜମି ଜଳସେଚିତ ହେବ। ଏଥିସହ ଉଦ୍‌ବୃତ୍ତ ବର୍ଷାଜଳ ସହଜରେ ସମୁଦ୍ରକୁ ନିଷ୍କାସିତ ହୋଇପାରିବ। ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲଠାରୁ ୨୦୧୦ରେ ଆରମ୍ଭ ହୋଇଥିବା ଖନନ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବାବେଳେ ପଟ୍ଟାମୁଣ୍ଡାଇ-ବାଙ୍ଗାଳିଦିଆ ବ୍ରାହ୍ମଣୀ ପାଟନାଳିକୁ ସଂଯୋଗ ସ୍ଥଳଠାରୁ ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଗୋବରୀ ନଦୀ ପୁନରୁଦ୍ଧାର କରାଗଲେ ଦକ୍ଷିଣଦିଆ, ବେଲତଳ, ତାତନା, ମାଟିଆ, ଅଠରବାଟିଆ, ଆମ୍ବେର, ନଳଢ଼ଳିଆ, ଖଡ଼ଇଣ୍ଟା, ଶିମୁଳିଆ, ନରସିଂହପୁର, ପଛପଡ଼ା, ଡିଆପଡ଼ା, କୁପୁଣୀ, ଗୁଣୁପୁର, ଛେଦରା, ଲୋକନାଥପୁର ପ୍ରଭୃତି ଅଞ୍ଚଳ ସହ କେନ୍ଦ୍ରାପଡ଼ା, ମହାକାଳପଡ଼ା ଅଞ୍ଚଳର ଶତାଧିକ ଗଁାର ଚାଷୀ ଉପକୃତ ହୋଇପାରିବେ। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନାରେ ପୁରୁଣା ଗୋବରୀ ନଦୀକୁ ବ୍ରାହ୍ମଣୀ ସହ ସଂଯୋଗ କରିବାକୁ ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀମାନେ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା) ନିକଟରେ ଦାବି କରିଛନ୍ତି। ଏହି ଦାବି ପୂରଣ କରାଗଲେ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଓ ମହାକାଳପଡ଼ା ଅଞ୍ଚଳର ଚାଷୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Share