ବ୍ରହ୍ମପୁର ଅଫିସ,୨୩ା୬: ଅତିରିକ୍ତ ଜିଲା ଜଜ (ଏଡିଜେ)- ୧ ସଂଘମିତ୍ରା ଶର୍ମା ରଣ୍ଢାର ବୁବୁ ଓରଫ ଗଣେଶ ପଣ୍ଡା ହତ୍ୟା ମାମଲାର ବୁଧବାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ୪ ଜଣ ଷଡଯନ୍ତ୍ରକାରୀ ରଣ୍ଢାର ପ୍ରକାଶ ରାଉଳ (୫୩), ଲକ୍ଷ୍ମୀ ଚରଣ ସାମନ୍ତରା (୬୧), ସୁରେନ୍ଦ୍ର ପାତ୍ର (୬୪), ଟୁକୁନା ପାଢ଼ୀ(୪୩) ା ହତ୍ୟାରେ ସାମିଲ ଥିବା ଅଜିତ ରାଉଳ (୩୦) କନିଷିର କଣ୍ଟି ଦୀପୁ (୨୯), ରକି ଓରଫ କଲୀନ ବେହେରା (୨୯) ବାଘଲଟିର କାଳିଆ ଗୌଡ଼ (୨୯), ଛତ୍ରପୁରର ସନ୍ଦୀପ ପଣ୍ଡା (୨୭) ଓ ଗୋପାଳପୁର ଜଙ୍କସନର ସନ୍ଦୀପ ପଣ୍ଡା (୨୭)। ପ୍ରକାଶ ଯେ, ୨୦୧୪ ଡିସେମ୍ବର ୨୯ ସକାଳୁ ବୁବୁ ଜାତୀୟ ରାଜପଥରେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ସ୍ପଷ୍ଟ ଦିବାଲୋକରେ ବିଭତ୍ସ ଭାବେ ହତ୍ୟା କରିଥିଲେ। ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ବୁବୁ ପଣ୍ଡାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ପୋଲିସ ନଂ.୧୬୯/୧୪ ରେ ଏକ ମାମଲା ରୁଜୁ କରି ପର୍ଯ୍ୟାୟକ୍ରମେ ଉପରୋକ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଠିକା କାମକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୋଲିସ ସ୍ପଷ୍ଟ କରିଥିଲା। ତତ୍କାଳୀନ ଥାନାଧିକାରୀ ଆଲୋକ ଜେନା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ପରେ ଅଭିଯୁକ୍ତମାନେ ପର୍ଯ୍ୟାୟକ୍ରମେ ଜାମିନରେ ମୁକୁଳିଥିଲେ। ବୁଧବାର ଏହି ମାମଲାର ବିଚାର ବେଳେ ସମସ୍ତ ୧୦ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୩୭ ଜଣ ସାକ୍ଷୀ ଓ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟକୁ ଆଧାର କରି ଉପଯୁକ୍ତ ପ୍ରମାଣ ନ ମିଳିବାରୁ ଏଡିଜେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ତ୍ରିଲୋଚନ ପରିଡା ଓ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସ୍. ରାମକୁମାର, ଶିଶିର ପାଢ଼ୀ, କୈଳାସ ପଣ୍ଡା, କୃଷ୍ଣ ପଟ୍ଟନାୟକ ଓ ମାନଭଞ୍ଜନ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।