୧୦ ଅଭିଯୁକ୍ତ ଗିରଫ

ବାଲେଶ୍ୱର, ୧୩।୯(ମାନସ ବିଶ୍ୱାଳ): ବାଲେଶ୍ୱର ସହରରେ କିଛିଦିନ ଧରି ଅପରାଧିକ କାର୍ଯ୍ୟକଳାପ ବନ୍ଦ ଥିଲା ବେଳେ ଗତ ସୋମବାର ଅପରାହ୍ନରେ ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ଟାଇଲ୍‌ବସା ନିକଟରେ ଜଣେ ଯୁବକଙ୍କୁ ଗୁଳି କରାଯାଇଛି। ଏଥିରେ ସ୍ଥାନୀୟ ଯୁବକ ବିନୟ କୁମାର ବିହାରୀ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଘଟଣାର ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରି ମାତ୍ର ୧୨ଘଣ୍ଟା ଭିତରେ ଗୁଳି ଫୁଟାଇଥିବା ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ‘ବି’ ଗ୍ରୁପ୍‌ର ମୁଖିଆ ହେବା ପ୍ରସଙ୍ଗକୁ ନେଇ ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି।
ଥାନା ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ସୂଚନା ଦେଇଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଟାଇଲ୍‌ବସା ନିକଟରେ ଗୁଳିକାଣ୍ଡ ହୋଇଥିଲା। ଅପରାଧିକ ଗୋଷ୍ଠୀର ମୁଖ୍ୟ କିଏ ନେବ, ଏହାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିଲା। ଉକ୍ତ ଅଞ୍ଚଳରେ ଥିବା ମୁଖ୍ୟ ଗ୍ରୁପ୍‌ର କାର୍ଯ୍ୟକଳାପ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନରୁ ନିଷ୍କ୍ରିୟ ହୋଇଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାର ୧୨ ଘଣ୍ଟା ମଧ୍ୟରେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଯେଉଁ ବେଆଇନ ବନ୍ଧୁକ ବ୍ୟବହାର ହୋଇଥିଲା ତାକୁ ମଧ୍ୟ ଜବତ କରାଯାଇଛି। ତାଙ୍କୁ ପାଖରୁ ତେଲେଙ୍ଗା କଟୁରୀ, ମୋବାଇଲ ଫୋନ୍‌ ଓ ମୋଟରସାଇକେଲ ଜବତ କରାଯାଇଛି। ଗ୍ରୁପ୍‌ରେ ୨୦ରୁ ୩୫ ବର୍ଷର ଯୁବକମାନେ ସାମିଲ୍‌ ଅଛନ୍ତି। ତଦନ୍ତ ଜାରି ରହିଥିବା ବେଳେ ବେଆଇନ ବନ୍ଧୁକ କେଉଁଠାରୁ ମିଳୁଛି ଏହା ଉପରେ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ମନୋରଞ୍ଜନ ବିନ୍ଧାଣୀ (୨୫) ଓ ସୁଶାନ୍ତ ଦାସ (୨୪) ଓ ବୈକୁଣ୍ଠ ବଗାଳ (୩୩), ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳର ସନ୍ଦୀପ ରାଉତ (୧୯) ଓ ଗୋପାଲ ସିଂହ (୨୩) ଓ କାହ୍ନୁ ନାୟକ (୩୮), ସରସ୍ବତୀପୁର ଅଞ୍ଚଳର ଦୀପକ ବେହେରା (୨୨), ଅଚ୍ୟୁତପୁର ଅଞ୍ଚଳର ରଞ୍ଜନ କୁମାର ସାହୁ (୨୯), ଟାଉନ୍‌ ଥାନା ସୁନହଟ ଅଞ୍ଚଳର ସଞ୍ଜୀବ କୁମାର ଦେହୁରୀ, ଖନ୍ତାପଡ଼ା ଥାନା କାବୁଡ଼ି ଅଞ୍ଚଳର ସତ୍ୟରଞ୍ଜନ ଦାସ (୨୪)। ସେମାନଙ୍କ ନିକଟରୁ ଗୋଟିଏ ଦେଶୀବନ୍ଧୁକ, ତେଲେଙ୍ଗା କଟୁରୀ, ଗୁପ୍ତି, ୩ଟି ମୋଟରସାଇକେଲ ଓ ୧୦ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ସହଦେବଖୁଣ୍ଟା ଥାନା ମାମଲା (ନଂ. ୩୬୨/୨୩), ଧାରା ୧୪୭/୧୪୮/୩୪୧/ ୩୦୭/୧୪୯ ଆଇପିସି/ ୨୫/୨୭ ଆର୍ମସ ଆକ୍ଟ ମୂଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share