ଯୁବତୀଙ୍କୁ କମେଣ୍ଟ କରି ୧୦ ଗିରଫ

ସମ୍ବଲପୁର,୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଦେଉଳବନ୍ଧ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ କମେଣ୍ଟମରାକୁ ପ୍ରତିବାଦ କରିବାରୁ ଜଣେ ଯୁବତୀଙ୍କୁ ଆକ୍ରମଣ ହୋଇଛି। ଯୁବତୀଙ୍କ ମା’ ତୁଳସୀ ତ୍ରିପାଠୀଙ୍କ ଅଭିଯୋଗ କ୍ରମେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତେନ୍ଦ୍ର ଛତର(୨୩), ଅର୍ଜୁନ ହାତୀ (୨୦), ସଞ୍ଜୟ ଛତର (୨୦), ଅନିଲ ରାଉତ (୨୦), ସଞ୍ଜୟ ସିଂ (୩୩) ଓ ଅନ୍ୟ ୨ଜଣ କୋଭିଡ୍‌ ସଂକ୍ରମିତ। ଅନ୍ୟପକ୍ଷେ ଜଣେ ଅଭିଯୁକ୍ତଙ୍କ ଭଉଣୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ ବାପା ରାମଚନ୍ଦ୍ର ତ୍ରିପାଠୀ (୪୪), ଭାଇ ସଚିନ ତ୍ରିପାଠୀ (୨୩) ଓ ପଡୋଶୀ ଭବାନୀଶଙ୍କର ରାୟ(୨୦)ଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ପୃଥକ୍‌ ଭାବେ ଥାନାରେ ୨୭୬ ଓ ୨୭୭/୨୧ରେ ମାମଲା ରୁଜୁ ହୋଇଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ମା’ ତୁଳସୀ ଅଭିଯୋଗ କରିଛନ୍ତି ଯେ, ପରିବାର ସହ ସେ ଘର ଆଗରେ ଛିଡ଼ା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପାଖକୁ ଆସି ଝିଅକୁ କମେଣ୍ଟ ମାରିବା ସହ ଗାଳିଗୁଲଜ କରିଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଝିଅ ଓ ଅନ୍ୟମାନଙ୍କୁ ଆକ୍ରମଣ କରିଥିଲେ। ସେହିପରି ଜଣେ ଅଭିଯୁକ୍ତଙ୍କ ଭଉଣୀ ସନ୍ତୋଷିନୀ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ପିଲାମାନେ ଏକାଠି ବସି ଗପ କରୁଥିଲେ। ସେହି ସମୟରେ ଯୁବତୀଙ୍କ ବାପା ଓ କେତେଜଣ ଯୁବକ ଆସି ମାରପିଟ କରିଥିଲେ। କମେଣ୍ଟମରା କଥା ସମ୍ପୂର୍ଣ୍ଣ ମିଛ। ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ କହିଛନ୍ତି, ପୋଲିସ ଅଭିଯୋଗ ପାଇ ସେଠାରେ ପହଞ୍ଚତ୍ଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ହେଲେ ପୋଲିସ ଫେରି ଆସିବା ପରେ ଗଣ୍ଡଗୋଳ ହୋଇଥିଲା। ଉଭୟଙ୍କ ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

Share