Categories: ଜାତୀୟ

୧୦ ଭାଜପା ଏମପି ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୬।୧୨ : ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ତିନୋଟି ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପରେ ବର୍ତ୍ତମାନ ୧୦ ଜଣ ଭାଜପା ଏମପି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିମଧ୍ୟରୁ ମଧ୍ୟପ୍ରଦେଶର ୫ ଜଣ ଏମପି, ରାଜସ୍ଥାନରୁ ୩ ଜଣ ଛତିଶଗଡର ୨ ଜଣ ଛନ୍ତି। ଏଥର ଭାଜପା ମୋଟ ୨୧ ଏମପିଙ୍କୁ ବିଧାନସଭା ଟିକେଟ ଦେଇଥିଲା। ସେଥିମଧ୍ୟରୁ ୧୨ ଜଣ ଏମପି ଜିତିଥିବାବେଳେ ୯ ଜଣ ନିର୍ବାଚନରେ ହାରିଛନ୍ତି। ଇସ୍ତଫା ଦେଇଥିବା ଏମପିମାନେ ବିଧାୟକ ରହିବେ। ନିର୍ବାଚନରେ ଜିତିଥିବା ସମସ୍ତ ୧୨ ଏମପିଙ୍କ ମଧ୍ୟରୁ ରେଣୁକା ସିଂ ଏବଂ ବାଲକନାଥ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି। ଖବର ଅନୁଯାୟୀ ସେମାନେ ଆଜି କିମ୍ବା ଆସନ୍ତାକାଲି ଇସ୍ତଫା ଦେବେ।

ଇସ୍ତଫା ପରେ ନିର୍ବାଚନ ଜିତିଥିବା ରାଜ୍ୟରେ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ଚର୍ଚ୍ଚା ହେଉଛି। ନାନା କଳ୍ପନାଜଳ୍ପନା ଜୋର ଧରିଛି। ମଧ୍ୟପ୍ରଦେଶ ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହ୍ଲାଦ ପଟେଲ ବିଜୟୀ ହୋଇଛନ୍ତି। ଏବେ କଳ୍ପନାଜଳ୍ପନା କରାଯାଉଛି ଭାଜପା ସେମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରିପାରେ। ଶିବରାଜ ସିଂ ଚୌହାନ ଏହା ମଧ୍ୟ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି।

କଳ୍ପନା ଜଳ୍ପନା ହେଉଛି ମହନ୍ତ ବାଲକନାଥ ରାଜସ୍ଥାନର ସିଏମ ହୋଇପାରନ୍ତି। ରାଜସ୍ଥାନରେ ସିଏମ ପଦ ପାଇ ବସୁନ୍ଧରା ରାଜେ ଏବଂ ଦିୟା କୁମାରୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ଛତିଶଗଡରେ ଭାଜପାର ବରିଷ୍ଠ ନେତା ରମଣ ସିଂ ସିଏମ ହୋଇପାରନ୍ତି। ଇସ୍ତଫା ଦେଇଥିବା ଛତିଶଗଡର ସାଂସଦମାନେ ହେଉଛନ୍ତି ଅରୁଣ ସାଓ ଏବଂ ଗୋମତି ସାଇ। ରାଜସ୍ଥାନର ରାଜ ବର୍ଦ୍ଧନ ସିଂ ରାଠୋର, ଦିୟା କୁମାରୀ ଏବଂ କିରୋରୀ ଲାଲ ମୀନା ମଧ୍ୟ ଇସ୍ତଫା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଭାଜପା ଏମପିମାନେ ଇସ୍ତଫା ଦେଇଛନ୍ତି। ରାକେଶ ସିଂ, ଉଦୟ ପ୍ରତାପ ଏବଂ ରିତି ପୃଥକ ମଧ୍ୟ ଇସ୍ତଫା ଦେଇଛନ୍ତି।

 

Share