ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬, ୫୯ ଏବଂ ରାଜ୍ୟ ରାଜପଥ ଏବେ ସଡ଼କ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ଗୋଟି ବ୍ଲାକ୍‌ସ୍ପଟ୍‌ରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି। ଅସଜଡ଼ା ରାସ୍ତା, ଜାତୀୟ ରାଜପଥରେ ଠିକ୍‌ ସୂଚନା ରହି ନ ଥିବା ଏବଂ ସ୍ଥିତି ଖରାପ ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌(ଦୁର୍ଘଟଣାପ୍ରବଣ ଅଞ୍ଚଳ) ଚିହ୍ନଟ ହୋଇଛି। ସହରର କୌଣସି ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଓ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ସେହି ସ୍ଥାନଗୁଡ଼ିକୁ ବ୍ଲାକ୍‌ସ୍ପଟ ରୂପେ ଚିହ୍ନଟ କରାଯାଇଛି। ପରିତାପର ବିଷୟ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ବ୍ଲାକ୍‌ସ୍ପଟ୍‌ ମଧ୍ୟରୁ ବ୍ରହ୍ମପୁର ସହର ଭିତରେ ୭ ରହିଥିବା ଜିଲା ପୋଲିସ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହା କେବଳ କାଗଜ କଲମରେ ଚିହ୍ନଟ ହୋଇଛି ା ଅନ୍ୟପଟେ ପରିବହନ ବିଭାଗ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୁର୍ଘଟଣା ହ୍ରାସ କରିବା ପାଇଁ ଠିକ୍‌ ପଦକ୍ଷେପ ନେଇନାହାନ୍ତି। ଫଳରେ ପ୍ରତିଦିନ ଉକ୍ତ ୧୦ଟି ବ୍ଲାକ୍‌ସ୍ପଟ୍‌ରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।
ଯେ, ଜିଲା ପରିବହନ ବିଭାଗ, ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥ -୧୬ରେ ରହିଛି ହଳଦିଆପଦରଠାରୁ ଖଜୁରିଆ ଓଭରବିଜ୍ର, ଲାଞ୍ଜିପଲ୍ଲୀ ବାଇପାସ୍‌ଠାରୁ ଆଙ୍କୁଲି ଓଭରବିଜ୍ର, କନିଷି-ଗୋଳନ୍ଥରା ଜାତୀୟ ରାଜପଥ, ହଳଦିଆପଦର-ଗୋଳନ୍ଥରା, ପୋକଡ଼ିବନ୍ଧ ଛକ। ସେହିପରି ଜାତୀୟ ରାଜପଥ -୫୯ରେ ରହିଛି ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌, କମାପଲ୍ଲୀରୁ କୁକୁଡ଼ାଖଣ୍ଡି ଛକ। ସେହିଭଳି ରାଜ୍ୟ ରାଜପଥରେ ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଛକ ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଜନଗର ଛକ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି। ଏହିସବୁ ଅଞ୍ଚଳରେ ନିୟମିତ ଭାବେ ବାରମ୍ବାର ଦୁର୍ଘଟଣା ଘଟୁଛି।
ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ୭୪ଟି ଦୁର୍ଘଟଣା ଘଟିଛି। ସେଥିମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି (ମୃତକଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ୫ ମହିଳା ରହିଛନ୍ତି)। ସେହିଭଳି ୩୬ ଜଣ ଗୁରୁତର ହୋଇଛନ୍ତି (୨୯ ପୁରୁଷ ଓ ୭ ଜଣ ମହିଳା)। ସେହିପରି ୧୧ ଜଣ ସାମାନ୍ୟ ଆହତ(ସେମାନଙ୍କ ମଧ୍ୟରେ ୮ପୁରୁଷ ଓ ୩ ମହିଳା) ହୋଇଥିବା ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ମିଳିଛି।
୨୦୨୧ରେ ଉକ୍ତ ୧୦ଟି ଦୁର୍ଘଟଣାପ୍ରବଣ ଅଞ୍ଚଳରେ ୪୯ ଦୁର୍ଘଟଣା ହୋଇଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେହିପରି ଗୁରୁତର ଭାବେ ୩୧ ପୁରୁଷ ଓ ୨ ମହିଳା ଏବଂ ସାମାନ୍ୟ ଆହତ ହୋଇଥିଲେ ୮ ଜଣ ପୁରୁଷ ଓ ୩ ଜଣ ମହିଳା ବୋଲି ବ୍ରହ୍ମପୁର ଟ୍ରାଫିକ୍‌ ଥାନାଧିକାରୀ ରାମ ସୁବ୍ରମନ୍ୟମ ପ୍ରଧାନ ସୂଚନା ଦେଇଛନ୍ତି।