ଭାରତକୁ ସହାୟତା ମାଗିଲେ ୧୦ ଦେଶ

ନୂଆଦିଲ୍ଲୀ,୧୧।୧: କରୋନା ମହାମାରୀ ଲଢ଼େଇରେ ପୃଥିବୀରେ ଭାରତ ଆଗୁଆ ରହିଛି। ସାର୍ବଜନୀକ ଭାବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଦେବାଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପରିସ୍ଥଳେ ଭାରତକୁ ୧୦ ଟି ଦେଶ ସହାୟତା ମାଗିଛନ୍ତି। ବ୍ରାଜିଲ୍‌, ମରକ୍କୋ, ସୌଦି, ମ୍ୟାନମାର୍‌, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଭୁଟାନ, ନେପାଳ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଆଦି ଦେଶ ଭାରତଠାରୁ କରୋନା ଟିକା ମାଗିଛନ୍ତି। ତେବେ ଭାରତ ସରକାର ବାଂଲାଦେଶ, ଭୁଟାନ, ନେପାଳ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଆଦି ପଡ଼ୋଶୀ ଦେଶଙ୍କୁ ଅଧିକ ଗୁରୁତ୍ୱଦେବ। ଭାରତ ଆରମ୍ଭରୁ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି। ପୃଥିବୀର ଅନ୍ୟ ଦେଶଙ୍କୁ ଟିକା ଯୋଗାଇ ଦେବା ସହିତ ଆବଶ୍ୟକ ସହାୟତା ପାଇଁ ଭାରତ ପ୍ରସ୍ତୁତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ଭାରତ ପ୍ରଥମେ ପିପିଇ କିଟ୍‌, ମାସ୍କ୍‌, ଭେଣ୍ଟିଲେଟର ଏବଂ ଟେଷ୍ଟିଂ କିଟ୍‌ବିଦେଶରୁ ଆମଦାନୀ କରୁଥିଲା। ମାତ୍ର ଏକ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ହୋଇପାରିଛି। ସୂଚନାଯୋଗ୍ୟ, ନେପାଳ ଭାରତଠାରୁ କୋଟିଏ ୨୦ ଲକ୍ଷ ଟିକା ନେବାକୁ ଯୋଜନା କରିଛି। ସେହିପରି ଭୁଟାନ ୧୦ ଲକ୍ଷ ଏବଂ ବାଂଲାଦେଶ ୩ କୋଟି ଟିକା ନେବାକୁ ସେରମ୍‌ ଇନଷ୍ଟିଚ୍ୟୁଟ ସହିତ ଚୁକ୍ତି କରିଛନ୍ତି। ମ୍ୟାନମାର୍‌ ମଧ୍ୟ ସେରମ୍‌ ଇନଷ୍ଟିଚ୍ୟୁଟ ସହିତ ଚୁକ୍ତି କରି ସାରିଛି।

Share