ଯାଜପୁର,୩୦ା୮(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ଅଧାରେ ଅଟକିଛି। କେତେକାଂଶରେ କାମ ସରିଛି, ହେଲେ ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାବାଦ୍ ନିମ୍ନମାନର କାର୍ଯ୍ୟ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି। ସେଥିମଧ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବୈତରଣୀ ନଦୀକୂଳରେ ନିର୍ମାଣ ହୋଇଥିବା ମ୍ୟୁଜିୟମ, ଟୁରିଷ୍ଟ ଅଫିସ ଓ ଟୁରିଷ୍ଟ ଇଣ୍ଟରପ୍ରିଟେଶନ ସେଣ୍ଟର ଏବେ ଭୂତକୋଠି ପାଲଟିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ଶତାଧିକ ପ୍ରାଚୀନ କୀର୍ତ୍ତିରାଜି ଅବହେଳିତ ହୋଇ ପଡି ରହିଛି। ଯାହାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
୨୦୧୯-୨୦ ରୁ ୨୦୨୩-୨୪ ବର୍ଷରେ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପ୍ରାୟ ୯୦ କୋଟି ଟଙ୍କା ଅନୁଦାନ ମିଳିଛି। ୬ା୨ା୨୦୨୪ରେ ତକତ୍ାଳୀନ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ବିଧାନସଭା ପ୍ରଶ୍ନ ଉପରେ ତକତ୍ାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏହା ଦର୍ଶାଇଥିଲେ । ତେବେ ପୂର୍ବରୁ ଏହିସବୁ ପ୍ରକଳ୍ପଗୁଡ଼ିକର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ୭ା୮ା୨୦୨୧ରେ ସ୍ପଷ୍ଟୀକରଣ ମାଗିଥିଲେ। ଏହି ସ୍ପଷ୍ଟୀକରଣ ଉପରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ତକତ୍ାଳୀନ ଯୁଗ୍ମ ସଚିବ ଇ.ବି. ଜେନା ତାଙ୍କ ପତ୍ରସଂଖ୍ୟା ୬୭୯୦/୯ା୮ା୨୦୨୧ରେ ଆସିଷ୍ଟାଣ୍ଟ ଅଡିଟ ଅଫିସର(ଏ.ଜି. ଅଡିଟ-୨)ଙ୍କୁ ଦେଇଥିବା ରିପୋର୍ଟରେ ମାତ୍ର ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇଥିଲେ। ଏଥିରେ ଯାଜପୁର ଜିଲାର ବୈତରଣୀ ନଦୀକୁଳରେ ଥିବା ବରାହପୀଠରେ ହେରିଟେଜ୍ ପାର୍କ ଅଧାପନ୍ତରିଆ ରହିଥିଲେ ହେଁ ରିପୋର୍ଟରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା, ଯାହାକି ଅଞ୍ଚଳବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେବା ସହ ପର୍ଯ୍ୟଟନ ବିଭାଗ ପାଖରେ କୌଣସି ଖବର ନ ଥିଲା। ଏହି ପ୍ରକଳ୍ପ ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ପରବର୍ତ୍ତୀ ସମୟରେ ଏହି ମାମଲାକୁ କଳେବଳେ କୌଶଳେ ଦବେଇ ଦିଆଯାଇଥିଲା। ଏହାସହ ବରାହ ଓ ବିରଜା କ୍ଷେତ୍ରର ଭଗବାନ ଶିବଙ୍କ ବଡ଼ ମୂର୍ତ୍ତି ଓ ପ୍ରକଳ୍ପ, ଯାଜପୁର ମା’ ବିରଜା ମନ୍ଦିରର ଏକାଧିକ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏତେ ବଡ଼ ଅନୁଦାନ କେଉଁଠି, କେମିତି ଖର୍ଚ୍ଚ ହୋଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅନିୟମିତତା ଉପରେ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି।
ମ୍ୟୁଜିୟମ ଓ ଟୁରିଷ୍ଟ ଅଫିସ ଦୀର୍ଘ ୪ ବର୍ଷ ହେବ ସମ୍ପୂର୍ଣ୍ଣ ହେବା ପରେ ବି ସେଠାରେ ତାଲା ଝୁଲୁଛି। କ୍ଷତ ବିକ୍ଷତ ହୋଇ ପଡି ରହିଥିବା ପ୍ରାଚୀନ ବୌଦ୍ଧ, ଜୈନ, କୀର୍ତ୍ତିିରାଜି ସହ ହିନ୍ଦୁ ଦେବୀଦେବାଙ୍କ ମୂର୍ତ୍ତିଗୁଡିକୁ ସଂଗ୍ରହ କରାଯାଇ ସଂରକ୍ଷିତ କରାଯିବର ଏହି ମ୍ୟୁଜିୟମ ନିର୍ମାଣର ଲକ୍ଷ୍ୟ ରହିଥିଲା । ଯାହାଦ୍ୱାରା ଗବେଷକମାନଙ୍କ ଦ୍ୱାରା ମଧ୍ୟ ଗବେଷଣା ହୋଇପାରିବ । କିନ୍ତୁ ବାସ୍ତବତା କ୍ଷେତ୍ରରେ ଏହା ନିର୍ମାଣ ସରିଛି ହେଲେ ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ତଥା ଅପାରଗତା କାରଣରୁ ଅନେକ କୋଟି ପାଣିରେ ପଡିପାରେ ବୋଲି ମତପ୍ରକାଶ ପାଇଛି। ଯାଜପୁର ପୁରାତନ ରାଜଧାନୀ ସହ ଐତିହ୍ୟ ସଂସ୍କୃତିର ସହର ଭାବେ ପରିଚିତ। ଅନେକ ଯାଗାରେ ଭଗ୍ନ ମୂର୍ତ୍ତି ସହ ଏପରି କିଛି ଦୁର୍ଲଭ କୀର୍ତ୍ତିରାଜି ରହିଛି ଯାହାକି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନି । ୧୮୬୯ ମସିହାରେ ଯାଜପୁର ସନ୍ଥମାଧବ ଗ୍ରାମରୁ ଇଂରେଜ ଅମଳରେ ଉଦ୍ଧାର ହୋଇଥିବା ୧୬ ଫୁଟ ୫ ଇଞ୍ଚ ଲମ୍ବର ଏହି ବିଶାଳକାୟ ବୌଦ୍ଧ ମୂର୍ତ୍ତି ଅବହେଳିତ ହୋଇ ପଡି ରହିଥିବା ଦେଖାଯାଇଛି। ଏହାବାଦ୍ ଅନେକ ଶିଳାଲିପି, ଚାମୁଣ୍ଡା, ଗଣେଶ, ଗରୁଡ଼ ଭଳି ପୁରାତନ ସଂସ୍କୃତି ଭବନ ନିକଟରେ ପଡି ରହିଛି । ଏହିକ୍ରମରେ ପର୍ଯ୍ୟଟନର ବିକାଶ ପାଇଁ ଆସିଥିବା ଏହି ଅନୁଦାନରେ ବ୍ୟାପକ ହେରାଫେରି ହୋଇଥିବା ସନ୍ଦେହ କରାଯାଇଛି। ଅନ୍ୟପକ୍ଷେ ବ୍ୟାସସରୋବର, ରନତ୍ଗିରି, ଉଦୟଗିରି, ଲଳିତଗିରି ଆଦି ପର୍ଯ୍ୟଟନସ୍ଥଳୀର ଉନ୍ନୟନ କାର୍ଯ୍ୟ ଉପରେ ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବରାହପୀଠର ଉନ୍ନତିକରଣ କାର୍ଯ୍ୟରେ ପୁରୁଣା ପାଚେରୀରେ ନୂଆ ନିର୍ମାଣ କରାଯାଇ ବ୍ୟାପକ ଅନିୟମତତା ହେଉଥିବା ଅଭିଯୋଗ ହେଉଛି। ଏହି ସବୁ ଅନୁଦାନର ଉପଯୁକ୍ତ ବିନିଯୋଗ କରାଯାଇଥିଲେ ଏ ଯାଏ ଯାଜପୁର ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।