ଓଲଟିଲା ଟ୍ରକ: ୧୦ ମୃତ,୨୫ ଆହତ

ମେକ୍ସିକୋ,୨।୧୦: ମେକ୍ସିକୋରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦକ୍ଷିଣ ମେକ୍ସିକୋରେ ଏକ ଟ୍ରକ ଓଲଟି ପଡ଼ିବା ପରେ ୧୦ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ପ୍ରାୟ ୨୫ ଜଣ ଆହତ ହୋଇଥିଲେ। ଏହି ଘଟଣା ମେକ୍ସିକୋର ଚିଆପାସ ରାଜ୍ୟରେ ଘଟିଛି। ଏହି ଘଟଣା ପରେ ନ୍ୟାଶନାଲ ମାଇଗ୍ରେସନ ଇନଷ୍ଟିଚ୍ୟୁଟ (ଆଇଏନଏମ) ଏକ ବିବୃତ୍ତି ଜାରି କରିଛି। ଆଇଏନଏମ ଏକ ବିବୃତ୍ତିରେ କହିଛି ଯେ, ଚିଆପାସର ପିଜିଜିଆପାନ-ଟୋନାଲା ରାଜପଥରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ୨୭ ଜଣ କ୍ୟୁବା ନାଗରିକଙ୍କୁ ଗୁପ୍ତରେ ନେଇ ଯାଉଥିଲା। ଟ୍ରକଟି ଦ୍ରୁତ ଗତିରେ ଥିଲା, ଯେଉଁଥିରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରକଟି ଓଲଟି ପଡିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଅଛନ୍ତି।
ମୃତକଙ୍କ ମଧ୍ୟରେ ନାବାଳିକା ସମେତ ମୋଟ ୧୦ ଜଣ ମହିଳା ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ଚିକିତ୍ସା ଜାରି ରହିଛି। ଅଧିକାରୀ କହିଛନ୍ତି ଯେ, ସମସ୍ତ ମୃତ ବ୍ୟକ୍ତି ଅନ୍ୟ ଦେଶର ବାସିନ୍ଦା ହୋଇଥିବାରୁ ମୃତଦେହକୁ ନିଜ ଦେଶକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି।

Share