‘ଯେସାକୁ ତେସା’ ନୀତି ଆପଣେଇଲା ଭାରତ

ନୂଆଦିଲ୍ଲୀ,୧।୧୦: ଆସନ୍ତା ସୋମବାରଠାରୁ ଭାରତ ଆସୁଥିବା ପ୍ରତ୍ୟେକ ବ୍ରିଟିଶ ନାଗରିକଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କୋଭିଡ୍‌ ଭାକ୍ସିନର ଉଭୟ ଡୋଜ ନେଇଥିବା ନାଗରିକଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ। ତେବେ ୟୁକେରେ ଭାରତ ସମେତ ଅନ୍ୟ କିଛି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ବିବାଦୀୟ ନିୟମ ରହିଛି।

ଆସନ୍ତା ୪ ତାରିଖରୁ ଭାରତକୁ ୟୁକେରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ୩ ଥର କୋଭିଡ୍‌-୧୯ ଆରଟି-ପିସିଆର ଟେଷ୍ଟ କରାଇବାକୁ ପଡ଼ିବ। ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଘରେ କିମ୍ବା ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରଖାଯିବ।

କୋଭିଡ୍‌ ଟିକାର ଉଭୟ ଡୋଜ ନେଇଥିବା କିଛି ଦେଶର ନାଗରିକଙ୍କୁ ବିନା କ୍ୱାରେଣ୍ଟିନରେ ଇଂଲଣ୍ଡରେ ପ୍ରବେଶ ପାଇଁ ଅନୁମତି ମିଳିଛି। କିନ୍ତୁ ଭାରତ ଭଳି କିଛି ଦେଶରେ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏବେ ମଧ୍ୟ ୧୦ ଦିନିଆ ଆଇସୋଲେଶନ ସହ କଡ଼ା କଟକଣା ରହିଛି। ଭାରତର ବୈଦେଶିକ ସଚିବ ହର୍ଶ ଶ୍ରୀଙ୍ଗଲା ଏହାକୁ ପକ୍ଷପାତିତା କହିବା ସହ ବ୍ରିଟିଶ ନାଗରିକଙ୍କ ପାଇଁ ମଧ୍ୟ ସମାନ କଟକଣା ଜାରି କରାଯାଇପାରେ ବୋଲି ଚେତାବନୀ ଦେଇଥିଲେ।

Share