୧୦ ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ ଆରମ୍ଭ

କଟକ ଅଫିସ,୧୩ା୧୨:ସମଗ୍ର ରାଜ୍ୟରେ ଜିଲାକୋର୍ଟଗୁଡ଼ିକର ରେକର୍ଡ ଡିଜିଟାଇଜେଶନ ନିମନ୍ତେ ୧୦ଟି ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ କାର୍ଯ୍ୟାରମ୍ଭ କରିଛି। ହବ୍‌ଗୁଡ଼ିକ ଅନୁଗୋଳ, ଭଦ୍ରକ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ସ୍ଥାପିତ ହୋଇଛି। ଏହି ହବ୍‌ଗୁଡ଼ିକରେ ନିଜ ଜିଲାକୋର୍ଟ ସମେତ ନିକଟବର୍ତ୍ତୀ ଜିଲାକୋର୍ଟର ରେକର୍ଡ ମଧ୍ୟ ଡିଜିଟାଇଜଡ୍‌ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ୩୦ ଜିଲାରେ ଥିବା ଜିଲାକୋର୍ଟକୁ ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ. ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି।
ସୂଚନା ଅନୁସାରେ, ଓଡ଼ିଶା ହାଇକୋର୍ଟ ପକ୍ଷରୁ ରେକର୍ଡ ଡିଜିଟାଇଜେଶନ କାର୍ଯ୍ୟ ହାଇକୋର୍ଟ ସମେତ ଜିଲା କୋର୍ଟଗୁଡ଼ିକରେ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭିତ୍ତିରେ କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ୱରଠାରେ ୪ଟି ଜିଲା କୋର୍ଟ ଡିଜିଟାଇଜେଶନ ସେଣ୍ଟର ୨୦୨୧ ଏପ୍ରିଲ ୩୦ରେ ସ୍ଥାପନ କରାଯାଇଥିଲା। ଏହି ୪ ଜିଲାକୋର୍ଟର ୫,୯୪,୨୩୭ଟି ରେକର୍ଡକୁ ୨୦୨୨ ନଭେମ୍ବର ୩୦ ସୁଦ୍ଧା ଡିଜିଟାଇଜେଶନ କରାଯାଇଛି, ଯେଉଁଥିରେ ୫,୫୮,୧୩,୭୭୧ଟି ପୃଷ୍ଠା ସାମିଲ ହୋଇଛି। ପାଇଲଟ୍‌ ପ୍ରକଳ୍ପରୁ ଉତ୍ସାହଜନକ ଫଳ ମିଳିଥିବାରୁ ହାଇକୋର୍ଟ ଏହି ସେଣ୍ଟରଗୁଡ଼ିକୁ ହବ୍‌ରେ ପରିଣତ କରିଥିଲେ। ଏଥିସହ ସୋମବାର ଆଉ ୧୦ଟି ନୂତନ ହବ୍‌ ଉଦ୍‌ଘାଟନ ହେବା ପରେ ସାରା ରାଜ୍ୟର ନ୍ୟାୟିକ ବ୍ୟବସ୍ଥାର ରେକର୍ଡଗୁଡ଼ିକ ଡିଜିଟାଇଜେଶନ ହେବା ପ୍ରକ୍ରିୟା ତ୍ୱରାନ୍ବିତ ହେବ।
ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଉଦ୍‌ଘାଟନୀ ଭାଷଣରେ କହିଛନ୍ତି, ଓଡ଼ିଶା ହାଇକୋର୍ଟର ଡିଜିଟାଇଜେଶନ କାର୍ଯ୍ୟ ସମଗ୍ର ଦେଶ ପାଇଁ ରୋଲ ମଡେଲ ପାଲଟିଛି। ନ୍ୟାୟିକ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଡିଜିଟାଇଜେଶନ ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଖୁବ୍‌ଶୀଘ୍ର ସମଗ୍ର ଦେଶର କୋର୍ଟ ଡିଜିଜାଇଜେଶନ କାର୍ଯ୍ୟରେ ଓଡ଼ିଶା ହାଇକୋର୍ଟ ପ୍ରମୁଖ ଭୂମିକା ନିଭାଇବ। ସେହିପରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର କହିଛନ୍ତି, ସାରା ରାଜ୍ୟରେ କାଗଜବିହୀନ କୋର୍ଟ ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି। ତାହାକୁ କାର୍ଯ୍ୟରେ ପରିଣତ କରିବା ଲାଗି ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ସ୍କ୍ରିନ ଟଚ୍‌ ଲାପଟପ୍‌ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଓଡ଼ିଶା ହାଇକୋର୍ଟର ଭିଡିଓ କନଫରେନ୍ସ ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡ. ଏସ୍‌ ମୁରଲୀଧର, ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର କମିଟି ଅଧ୍ୟକ୍ଷ ବିଚାରପତି ଡି. ଦାଶ ଏବଂ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିସହ ଜିଲା ଜଜ୍‌, ବିଚାର ବିଭାଗୀୟ ଅଧିକାରୀ, ବାର୍‌ ଆସୋସିଏଶନ କର୍ମକର୍ତ୍ତା ଏବଂ ଜିଲା ପ୍ରଶାସନର ଅଧିକାରୀମାନେ ବିଭିନ୍ନ ଜିଲାରୁ ଭର୍ଚୁଆଲରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।

Share