Advertisement

୧୦ ଲକ୍ଷ ଏକର ଜଙ୍ଗଲ ପାଉଁଶ

ସାନ୍‌ ଫ୍ରାନ୍‌ସିସ୍କୋ,୨୪।୮ : ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଇଛି। ଏହି ବନାଗ୍ନି ମାତ୍ର ସପ୍ତାହେ ମଧ୍ୟରେ ୧୦ ଲକ୍ଷ ଏକର ଜଙ୍ଗଲକୁ ମାଡ଼ି ପାଉଁଶ କରିଦେଇଛି। ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏହାସହ ହଜାର ହଜାର ଘର ଜଳିପୋଡ଼ି ଧ୍ୱଂସ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ବ୍ୟାପିବାରୁ ରୋକିବା ପାଇଁ ଲଗାତର ଉଦ୍ୟମ ଚଳାଇଛନ୍ତି। ତେବେ ସପ୍ତାହାନ୍ତରେ ପାଣିପାଗ ବଦଳିଲେ ନିଆଁ ଆହୁରି ଦ୍ରୁତଗତିରେ ଅନ୍ୟ ଦିଗକୁ ବ୍ୟାପିବା ଆଶଙ୍କା କରାଯାଉଛି।
ସାନ୍‌ ଫ୍ରାନ୍‌ସିସ୍କୋ ଉପସାଗରୀୟ କ୍ଷେତ୍ରର ଦୁଇପଟେ ଲାଗିଥିବା ନିଆଁ ଆକାର ଦୃଷ୍ଟିରୁ କାଲିଫର୍ନିଆ ଇତିହାସରେ ବନାଗ୍ନିର ସବୁ ରେକର୍ଡ ଭାଙ୍ଗିଦେଇଛି। ଅଗଷ୍ଟ ୧୫ ପରଠାରୁ ୧୨,୦୦୦ରୁ ଅଧିକ ଥର ବଜ୍ରପାତ ହେଲାଣି। ଏଥିରେ ୫୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଛି। ରାଜ୍ୟର ସବୁଠୁ ପୁରୁଣା ପାର୍କ ରେଡ୍‌ଉଡ୍ସ ଜଳିଯାଇଛି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଛି। ଏଥିଯୋଗୁ ରାଜ୍ୟର ଦମକଳ ବାହିନୀର ଚିନ୍ତା ବଢ଼ିଯାଇଛି। ଏହି ଜରୁରୀ ସ୍ଥିତିରୁ ମୁକୁଳିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ସଂଘୀୟ ସହାୟତା ପ୍ରଦାନ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। କାଲିଫର୍ନିଆ ଗଭର୍ନର ଗୋବିନ ନ୍ୟୁଜୋମ୍‌ ଏକ ବିବୃତିରେ କହିଛନ୍ତି, ଏହି ଘୋଷଣା ସଙ୍କଟ ସମୟରେ ନିଆଁ ପ୍ରଭାବିତ କାଉଣ୍ଟିର ଲୋକଙ୍କୁ ଘର ଓ ଅନ୍ୟ ସାମାଜିକ ସେବା ଯୋଗାଇଦେବାରେ ସହାୟକ ହେବ। ପରିବର୍ତ୍ତନଶୀଳ ପାଣିପାଗ ଯୋଗୁ ନୂଆ ସ୍ଥାନଗୁଡ଼ିକରେ ନିଆଁ ଲାଗିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଓ ସ୍ଥାନୀୟ ଅଧିକାରୀମାନେ ବିପଜ୍ଜନକ କ୍ଷେତ୍ରର ନିବାସୀଙ୍କୁ କୌଣସି ସମୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଇଛନ୍ତି। ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, ହାଲୁକା ପବନ, ଥଣ୍ଡା ଓ ଆର୍ଦ୍ରତା ବୃଦ୍ଧି ରାତିରେ କାମ କରିବା ପାଇଁ ସେମାନଙ୍କୁ ସୁବିଧା ହୋଇଛି। କିନ୍ତୁ ଗରମ, ଶୁଷ୍କ ପାଗ, ଖୁବ୍‌ ଜୋର୍‌ରେ ପବନ ବହିବା ଓ ବଜ୍ରପାତ ହେବ ବୋଲି ଅନୁମାନ କରାଯାଉଥିବାରୁ ସେମାନଙ୍କ ନିଆଁଲିଭା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ। ନ୍ୟାଶନାଲ ଓ୍ବେଦର ସର୍ଭିସେସ୍‌ ପକ୍ଷରୁ ରବିବାର ସକାଳୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଉପସାଗରୀୟ କ୍ଷେତ୍ର ଓ କେନ୍ଦ୍ରୀୟ ଉପକୂଳ ନିକଟରେ ଆହୁରି ଭୟଙ୍କର ନିଆଁ ଲାଗିବା ନେଇ ଚେତାବନୀ ଜାରି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share