ବାରିପଦା ଅଫିସ,୬।୧: ଏକ କମ୍ପାନୀର ରିଟେଲର ହେବା ପାଇଁ ବାରିପଦା ୱାର୍ଡ ନଂ.୫ର ବିକାଶ ଚନ୍ଦ୍ର ଶାହା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ମୟୂରଭଞ୍ଜ ଜିଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ବୁଧବାର ଏକ ମାମଲା(ନଂ.୧/୨୨) ରୁଜୁ ହୋଇଛି।
ଅନୁଯାୟୀ, ସୋସିଆଲ ମିଡିଆରୁ ବିଜ୍ଞାପନ ଦେଖି ବିକାଶ ଏକ କମ୍ପାନୀର ରିଟେଲର ହେବା ପାଇଁ ଆବେଦନ କରିଥିଲେ। ବିଜ୍ଞାପନ ମୁତାବକ ତାଙ୍କୁ ଇ ମେଲ୍ ମାଧ୍ୟମରେ ରେଜିଷ୍ଟ୍ରେଶନ ବାବଦରେ ୨୫ହଜାର ୯୬୦ ଟଙ୍କା ଜମା କରିବାକୁ କୁହାଯାଇଥିଲା। ସେ ଅନ୍ଲାଇନ୍ ମାଧ୍ୟମରେ ଉକ୍ତ ରାଶି ଜମା କରିବା ପରେ ଏଗ୍ରିମେଣ୍ଟ ବାବଦରେ ୧ଲକ୍ଷ ୨୫ହଜାର ଜମା କରିଥିଲେ। ଏନ୍ଇଏଫ୍ଟି ଓ ଆର୍ଟିଜିଏସ୍ ମାଧ୍ୟମରେ ୩ଟି ବ୍ୟାଙ୍କରେ ଏହି ଟଙ୍କା ସେ ଜମା କରିଥିଲେ। ପରବର୍ତ୍ତୀ ସମୟରେ ଦୋକାନ ଘର ଯାଞ୍ଚ ଓ ସ୍ଥାନ ନିରୂପଣ ପାଇଁ ଆସିବାକୁ ଥିବା ଟିମ୍ ବାବଦରେ ୧ଲକ୍ଷ ୩୭ହଜାର ୮ଶହ, ସାମଗ୍ରୀ ଷ୍ଟକ୍ ରଖିବା ପାଇଁ ୫ଲକ୍ଷ ଓ ସାମଗ୍ରୀ ପରିବହନ ଓ କମ୍ପ୍ୟୁଟର ବାବଦରେ ୨ଲକ୍ଷ ୫୫ହଜାର ଟଙ୍କା ମଧ୍ୟ ଜମା କରିଥିଲେ। ତେବେ ଟଙ୍କା ଜମା କରିବା ପରେ କମ୍ପାନୀ ପକ୍ଷରୁ କୌଣସି ବ୍ୟକ୍ତି ନ ଆସିବାରୁ ସେ କୋଲକାତା ଯାଇ ବିଜ୍ଞାପନରେ ଉଲ୍ଲେଖ ଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ତେବେ ଉକ୍ତ କମ୍ପାନୀ ଜମା ଅର୍ଥ ଗ୍ରହଣ କରି ନ ଥିବା ସ୍ପଷ୍ଟ କଲା ପରେ ଠକାମୀର ଶିକାର ହୋଇଥିବା ନେଇ ବିକାଶ ଜାଣିବାକୁ ପାଇଲେ। ଜିଲାରେ ସାଇବର ଥାନା ନ ଥିବାରୁ ସେ ଦିଲ୍ଲୀ ଓ ଭୁବନେଶ୍ୱର ଯାଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିଲା। ପରେ ସେ ବାରିପଦା ଟାଉନ ଥାନାକୁ ଜଣାଇଥିଲେ। ଏବେ ଜିଲାରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପରେ ସେଠାରେ ସେ ଅଭିଯୋଗ କରିଛନ୍ତି।