ନୂଆଦିଲ୍ଲୀ,୨୩।୦୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା କରିଛନ୍ତି । ଏହି କ୍ରମରେ ଦେଶର ଗରିବ ନାଗରିକଙ୍କ ବାସଗୃହ ପାଇଁ ମୋଦି ସରକାର ସ଼୍ବତନ୍ତ୍ର ଫୋକସ କରିଛନ୍ତି । ଚଳିତ ବଜେଟ୍ରେ ସବୁଠାରୁ ଅଧିକ ଟଙ୍କା ବାସଗୃହ ନିର୍ମାଣ ପାଇଁ ଘୋଷଣା କରାଯାଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ବର୍ଷରେ ଦେଶରେ ଏହି ଯୋଜନାରେ ୩ କୋଟି ଘର କରାଯିବା ନେଇ ଘୋଷଣା ହୋଇଛି । ଅନ୍ୟପଟେ ସହରାଞ୍ଚଳରେ ଆବାସ ପାଇଁ ମଧ୍ୟ ଘୋଷଣା ହୋଇଛି । ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଯୋଜନାରେ ୧ କୋଟି ସହରୀ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ପରିବାରଙ୍କୁ ଆବଶ୍ୟକୀୟ ବାସଗୃହ ଯୋଗାଇ ଦିଆଯିବ ।
ପିଏମ୍ଏୱାଇ ଯୋଜନାରେ ୧୦ ବର୍ଷ ମଧ୍ୟରେ ଗରିବ ପରିବାରକୁ ପାଖାପାଖି ୪.୨୧କୋଟି ଘର ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଯୋଜନା ଦୁଇ ପ୍ରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ।