କରୋନା ଯୋଗୁ ପ୍ରତି ୩୩ ଘଣ୍ଟାରେ ୧୦ ଲକ୍ଷ ଗରିବ, ୩୦ ଘଣ୍ଟାରେ ଜଣେ ନୂଆ ବିଲିୟନେୟାର…

ଡାଭୋସ, ୨୩।୫ : ସ୍ବିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ପାଇଁ ସମଗ୍ର ବିଶ୍ୱରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏଠାରେ ପହଞ୍ଚିଛନ୍ତି। ଏହି ଅବସରରେ ଓକ୍ସଫାମ ଇଣ୍ଟରନ୍ୟାଶନାଲ ସୋମବାର କହିଛି ଯେ କରୋନା ମହାମାରୀ ସମୟରେ ପ୍ରତି ୩୦ ଘଣ୍ଟାରେ ଦୁନିଆରେ ଜଣେ ନୂଆ ବିଲିୟନେୟାର ସୃଷ୍ଟି ହୋଇଥିଲେ।

ଅପରପକ୍ଷେ, ପ୍ରତ୍ୟେକ ୩୩ ଘଣ୍ଟାରେ ୧୦ଲକ୍ଷ ଲୋକ ଗରିବ ହେବାକୁ ଲାଗିଥିଲେ। ଡାଭୋସରେ ପ୍ରକାଶିତ ପ୍ରଫିଟିଙ୍ଗ ଫ୍ରମ୍‌ ପେନ୍‌ ଶୀର୍ଷକ ଏହି ରିପୋର୍ଟରେ ଅକ୍ସଫାମ ପକ୍ଷରୁ ଉଲ୍ଲେଖ କରାଯାଇଛି। ପୂର୍ବ ଦଶନ୍ଧି ତୁଳନାରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଖାଦ୍ୟ ଏବଂ ଶକ୍ତି କ୍ଷେତ୍ରରେ ବିଲିୟନେୟାରମାନେ ପ୍ରତି ଦୁଇ ଦିନରେ ସେମାନଙ୍କ ସମ୍ପତ୍ତି ୧ ବିଲିୟନ ଡଲାର ବୃଦ୍ଧି କରୁଛନ୍ତି।

ବିଶ୍ୱ ଅର୍ଥନୈତିକ ଫୋରମ ହେଉଛି ସରକାରୀ-ବେସରକାରୀ ସହଭାଗୀତାର ଏକ ଅନ୍ତର୍ଜାତୀୟ ସଂଗଠନ। ଦୁଇ ବର୍ଷରୁ ଅଧିକ ସମୟ ପରେ ଏହାର ବୈଠକ ଡାଭୋସରେ ଅନୁଷ୍ଠିତ ହେଉଛି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ସଭା ଅନୁଷ୍ଠିତ ହୋଇପାରି ନଥିଲା।

ଓକ୍ସଫାମ ଇଣ୍ଟରନ୍ୟାଶନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗାବ୍ରିଏଲା ବଚର୍‌ ରିପୋର୍ଟରେ କହିଛନ୍ତି ଯେ ପୃଥିବୀର ବିଲିୟନେୟାରମାନେ ଡାଭୋସକୁ ସେମାନଙ୍କ ଭାଗ୍ୟର ଅବିଶ୍ୱସନୀୟ ପରିବର୍ତ୍ତନକୁ ପାଳନ କରିବାକୁ ଆସୁଛନ୍ତି। ମହାମାରୀ ଏବଂ ବର୍ତ୍ତମାନ ଖାଦ୍ୟ ଏବଂ ଶକ୍ତିର ମୂଲ୍ୟରେ ବୃଦ୍ଧି ସେମାନଙ୍କ ପାଇଁ ଏକ ଉତ୍ସାହ ବୋଲି ପ୍ରମାଣିତ ହେଉଛି। ଅପରପକ୍ଷରେ, ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟରୁ ହଟାଇବାରେ ଦଶନ୍ଧିର ଅଗ୍ରଗତି ବୃଥା ହୋଇଛି ଏବଂ ବଞ୍ଚିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପ୍ରତ୍ୟାଶିତ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।

ଓକ୍ସଫାମ ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ, କରୋନା ସଙ୍କଟ ମଧ୍ୟରେ ମୋଟ ୫୭୩ ଜଣ ନୂଆ ବିଲିୟନେୟାର ସୃଷ୍ଟି ହୋଇଥିଲେ। ସଂଗଠନ କହିଛି ଯେ ଆମେ ଭୟ କରୁଛୁ ଯେ ଚଳିତ ବର୍ଷ ପ୍ରତି ୩୩ ଘଣ୍ଟାରେ ୧୦ ଜଣଙ୍କ ହାରରେ ମୋଟ ୨୬.୩୦ କୋଟି ଲୋକ ଅତ୍ୟଧିକ ଦାରିଦ୍ର୍ୟର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

Share