ଚଣ୍ଡୀଗଡ଼, ୩ା୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିବା ଏକ ପୋଷ୍ଟରକୁ ପୋଲିସ ଜବତ କରିଛି। ଘଟଣାରେ ପଞ୍ଜାବ ପୋଲିସ ମାମଲା ରୁଜୁ କରି କିଏ ଏହି ପୋଷ୍ଟର ଲଗାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି। ମୋହାଲି ସେକ୍ଟର ୬୬ ଓ ୬୭ରେ ଥିବା ଗାଇଡ୍ ମ୍ୟାପ୍ରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ସେଥିରେ ଇବ୍ରାହିମ୍ଆଟ୍ହଟ୍ମେଲ ନାମରେ ଏକ ଇ-ମେଲ୍ ଠିକଣା ଉଲ୍ଲେଖ ରହିଛି। ସାଇବର କ୍ରାଇମ୍ ଟିମ୍ ସହାୟତାରେ ମେଲ୍ ଆଇଡିକୁ ଯାଞ୍ଚ କରାଯାଉଛି। ଗତ ଡିସେମ୍ବର ୧୪ରେ ମଧ୍ୟ ଅମରିନ୍ଦରଙ୍କ ଫଟୋ ଥିବା ଏକ ହୋର୍ଡିଂ ଲଗାଯାଇଥିଲା, ଯେଉଁଥିରେ ତାଙ୍କ ମୁହଁରେ କଳା ରଙ୍ଗ ବୋଳାଯାଇଥିବା ଦେଖିବାକୁ ମିଳିଥିଲା। ଖଲିସ୍ତାନୀ ସଙ୍ଗଠନ ‘ଶିଖ୍ ଫର୍ ଜଷ୍ଟିସ୍’ ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଂଙ୍କୁ ହତ୍ୟା ପାଇଁ ଧମକ ଦେଇଥିବାରୁ ଏହି ଘଟଣାରେ ମଧ୍ୟ ଖଲିସ୍ତାନୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।