ମୁମ୍ବାଇ,୧ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଅନ୍ୟପଟେ ଓମିକ୍ରନ୍ ବି ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୧୦ ମନ୍ତ୍ରୀ ଓ ୨୦ ବିଧାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପଟେ ରାଜ୍ୟରେ ଏବେସୁଦ୍ଧା ୪୫୪ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ରବିବାର ଏହି ସଂକ୍ରମଣକୁ ନେଇ ଟାସ୍କ ଫୋର୍ସ ସହ ବୈଠକ ହେବ । ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ସଚିବ ପ୍ରଦିପ ବ୍ୟାସ ଡିଭିଜନାଲ କମିଶନର ଓ କଲେକ୍ଟରଙ୍କୁ ପତ୍ର ଲେଖି କରୋନାର ତୃତୀୟ ଲହରକୁ ହାଲକା ଭାବେ ନ ନେବାକୁ କହିଛନ୍ତି । ସେ କହିଛନ୍ତି କରୋନା ସଂକ୍ରମିତଙ୍କର ଜେନମ ସିକ୍ୟୁଏନସିଂ କରାଯାଉଛି ଏଥିରୁ ୭୦ ପ୍ରତିଶତ ଡେଲ୍ଟା ଭାରିଏଣ୍ଟ ଥିବା ଜଣାପଡିଛି । ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଯଦି ତୃତୀୟ ଲହରରେ ୧ ପ୍ରତିଶତ ମୃତ୍ୟୁ ହେବ ତେବେ ବି ୮୦ହଜାର ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଛି । ତେଣୁ ସତର୍କତା ଜରୁରୀ । ଏହାସହ ମନ୍ତ୍ରୀ ଓ ବିଧାୟକ ସଂକ୍ରମିତ ହେବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି ।