ହମାସ ଆକ୍ରମଣରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁ

ଜେରୁଜେଲମ,୮।୧୦: ପାଲେଷ୍ଟାଇନର ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ହମାସ ଆତଙ୍କବାଦୀ ଗୋଷ୍ଠୀ ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ ଉଭୟ ପକ୍ଷରୁ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ହମାସ ଆକ୍ରମଣ ଯୋଗୁ ଇସ୍ରାଏଲରେ ପ୍ରାୟ ୧୦ ନେପାଳୀ ଛାତ୍ର ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ନେପାଳ ଦୂତାବାସର ଅଧିକାରୀ ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, କିଛି ଦିନ ଧରି ଗାଜା ଷ୍ଟ୍ରିପ୍‌ରେ ଉତ୍ତେଜନା ଲାଗି ରହିଥିବା ବେଳେ ଗତକାଲି ହଠାତ୍‌ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଗାଜା ଷ୍ଟ୍ରିପରୁ ସେମାନେ ଇସ୍ରାଏଲ ଉପରକୁ ୫ ହଜାରରୁ ଅଧିକ ରକେଟ ମାଡ କରିଥିଲେ। ତା’ ସହିତ ଗାଜା ଷ୍ଟ୍ରିପ ସୀମାରେ ଥିବା ଇସ୍ରାଏଲର ସହରଗୁ ଭିତରେ ପଶି ସେମାନେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ।

Share