Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ୧୦ ବିରୋଧୀ ଦଳ

ନୂଆଦିଲ୍ଲୀ, ୧୮।୬: ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘଦିନ ହେଲା ହିଂସାକାଣ୍ଡ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଆଦୌ ମୁହଁ ଖୋଲୁନାହାନ୍ତି। ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ସମେତ ମଣିପୁରର ୧୦ ସମଭାବାପନ୍ନ ବିରୋଧୀ ଦଳ ଶନିବାର ପ୍ରଶ୍ନ ଉଠାଇଛନ୍ତି। ସେମାନେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଆପଏଣ୍ଟମେଣ୍ଟ ଚାହିଁଛନ୍ତି। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଖବରଦାତା ସମ୍ମିଳନୀକୁ ଏହି ସୂଚନା ଦେଇଛନ୍ତି। ସେହି ଦଳଗୁଡ଼ିକ ହେଲେ କଂଗ୍ରେସ, ଜେଡିୟୁ, ସିପିଆଇ, ସିପିଆଇ(ଏମ୍‌), ତୃଣମୂଳ କଂଗ୍ରେସ, ଏଏପି, ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ୍‌, ଶିବସେନା (ୟୁବିଟି), ଏନ୍‌ସିପି ଏବଂ ରିଭଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି। ଜୁନ୍‌ ୨୦ରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ବାହାରିବା ପୂର୍ବରୁ ସେମାନଙ୍କ ସହ ଆଲୋଚନା କରିବେ ବୋଲି ଉକ୍ତ ଦଳଗୁଡ଼ିକ ଆଶାବାଦୀ ଅଛନ୍ତି। ସେଥିପାଇଁ ସେମାନେ ୨୦ ତାରିଖ ଯାଏ ନୂଆଦିଲ୍ଲୀରେ ଅପେକ୍ଷା କରିବେ ବୋଲି କହିଛନ୍ତି।
୨୨ ବର୍ଷ ପୂର୍ବେ ୨୦୦୧ ଜୁନ୍‌ ୧୮ରେ ମଣିପୁରରେ ଅନୁରୂପ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ବିଧାନସଭା ବାଚସ୍ପତିଙ୍କ ବଙ୍ଗଳା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟକୁ ଜାଳିଦିଆଯିବା ସହ ସାଢ଼େ ୩ ମାସ ପର୍ଯ୍ୟନ୍ତ ରାଜପଥ ଅବରୋଧ କରାଯାଇଥିଲା। ସେତେବେଳେ ସବୁ ଦଳର ଦାବିକ୍ରମେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦୁଇଥର ସର୍ବଦଳୀୟ ବୈଠକ ଡାକି ଶାନ୍ତି ପାଇଁ ଅପିଲ୍‌ କରିଥିଲେ। ଏବେ ୧୦ଟି ଦଳର ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଅପେକ୍ଷା କରିଥିବାବେଳେ ସେ ନୀରବ ରହିଛନ୍ତି। ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ରର ବିଶ୍ୱାସ ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଜୟରାମ କହିଛନ୍ତି।

Share