Categories: ଖେଳ

ରାଜ୍ୟସ୍ତରକୁ ୧୦ ଖେଳାଳିଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୮ ସରକାରୀ ବାଳକ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବାଳିକା ବିଭାଗରେ ୪ ଓ ବାଳକରେ ୫ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଦର୍ଶନ ଭିତ୍ତିରେ ବାଳିକା ବର୍ଗରୁ ୟଶିତା ରାଉତ (୪ ପଏଣ୍ଟ), ଅଞ୍ଜଳି ମିଶ୍ର, ନମସ୍ୟ ନଳିନୀ (ଉଭୟେ ୩ ପଏଣ୍ଟ), ଚନ୍ଦ୍ରକା ନାଏକ ଓ ପ୍ରତୀକ୍ଷା ଦାସ (ଉଭୟେ ୨) ଏବଂ ବାଳକ ବର୍ଗରେ ଓମ୍‌ ଆଦିତ୍ୟ ଖାଡ଼ଙ୍ଗା (୫), ଆରିନ ଅନ୍ବେଷ ସ୍ବାଇଁ, ଦେବେନ୍ଦ୍ର ସବର, ଦୀପେଶ ଦତ୍ତ (ସମସ୍ତେ ୪ ପଏଣ୍ଟ) ଓ ଅର୍ନବ ମହାନ୍ତି (୩) ଭୁବନେଶ୍ୱର କ୍ରୀଡ଼ା ଜିଲାରୁ ଭଦ୍ରକରେ ଚଳିତ ମାସରେ ହେବାକୁଥିବା ରାଜ୍ୟ ମିଟ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗିତାର ଉଦ୍‌ଘାଟନ ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ସୁଚିତ୍ରା ପାତ୍ର, ସିଭି ରମଣ ଇଞ୍ଜିନିୟରିଂ କଲେଜର ନିର୍ଦ୍ଦେଶକ ସଞ୍ଜୀବ ରାଉତ, ଅନ୍ତର୍ଜାତୀୟ ମାଷ୍ଟର ସ୍ବୟଂଶୁ ସତ୍ୟପ୍ରଜ୍ଞ, ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୀତେନ୍ଦ୍ର ନାୟକ, ୟୁନିଟ-୮ ବାଳକ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଭିରାମ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।