ଶିଲଂ,୨୪।୧ : ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଟିଏମ୍ସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ରାଜଧାନୀ ଶିଲଂରେ ଦଳୀୟ ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଏଥିରେ ୧୦ଟି ପ୍ରତିଶୃତି ଦିଆଯାଇଛି ।
୨୧ ରୁ ୪୦ ବର୍ଷ ବୟସର ବେକାର ଯୁବକ ଏବଂ ମହିଳାଙ୍କୁ ମାସକୁ ୧୦୦୦ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି। ଏହା ସହିତ ଏକ ବର୍ଷରେ ୫ ଲକ୍ଷ ଯୁବବର୍ଗଙ୍କୁ ରୋଜଗାର ଯୋଗାଇଦେବାକୁ କୁହାଯାଇଛି। ଏହି ଅବସରରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଟିଏମ୍ସି ରକ୍ତର ଶେଷ ବୁନ୍ଦା ପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରେ। ସେ କହିଛନ୍ତି, ଏହା ଏକ ପୁସ୍ତକ ନୁହେଁ ଯେଉଁଥିରେ ୧୦ ଟି ପଏଣ୍ଟ ଲେଖାଯାଇଛି। ଏହା ଆମର ପ୍ରତିବଦ୍ଧତା। ଯଦି ଟିଏମ୍ସି ସରକାର ଗଠନ ହୁଏ, ତେବେ ଏହା ମେଘାଳୟର ଲୋକଙ୍କ ପାଇଁ କାମ କରିବ। ରାଜ୍ୟରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ସହିତ ମହିଳା ସଶକ୍ତିକରଣ ହେଉଛି ମୁଖ୍ୟ ଲକ୍ଷ୍ୟ। ସୂଚନାଯୋଗ୍ୟ,ପୂର୍ବରୁ ମେଘାଳୟ ପାଇଁ ଟିଏମ୍ସି ଦଳୀୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଛି।