ଫ୍ରିଜର ପୋଡି ସଂଗୃହିତ ୧୦ ୟୁନିଟ୍‌ ରକ୍ତ ନଷ୍ଟ

ବରଗଡ଼ ଅଫିସ୍‌,୭।୨: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗର ଫ୍ରିଜରରେ ରହିଥିବା ୧୦ ୟୁନିଟ୍‌ ସଂଗୃହିତ ରକ୍ତ ନଷ୍ଟ ହୋଇଛି। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଫ୍ରିଜର ଖରାପ ହେବାରୁ ଏଭଳି ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଅନ୍ୟପକ୍ଷେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ରକ୍ତ ନଷ୍ଟ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ ପାତ୍ରଙ୍କୁ ପଚାରିବାରୁ ସେ ସମ୍ପର୍କରେ ରକ୍ତ ସଂରକ୍ଷଣ ବିଭାଗର ଅଧିକାରୀ କହିପାରିବେ ବୋଲି ପ୍ରକାଶ କରିଥିଲେ । ରକ୍ତ ସଂରକ୍ଷଣ ବିଭାଗର ଅଧିକାରୀ ଡା. ରାଧେଶ୍ୟାମ ଅଗ୍ରୱାଲଙ୍କୁ ପଚାରିବାରୁ ଶୁକ୍ରବାର ରାତିରେ ଫ୍ରିଜର ପୋଡ଼ି ଯାଇଥିଲା। ତାପମାତ୍ରା ୨୨ଡିଗ୍ରୀ ହୋଇଯାଇଥିଲା। ରକ୍ତ ପରୀକ୍ଷା ପରେ ତାହା ବ୍ୟବହାର ଉପଯୋଗୀ ହେବ କି ନାହିଁ ଜଣାପଡ଼ିବ ବୋଲି ସେ କହିଥିଲେ।

Share