୧୦ ଗାଡ଼ି ଜବତ, ୨.୮୦ ଲକ୍ଷ ଜରିମାନା

ଜଳେଶ୍ୱର, ୧୭ା୩(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ପରେ ପ୍ରଶାସନର ଚେତା ପଶିଛି। ଜଳେଶ୍ୱର ତହସିଲଦାର ଓ ଏସ୍‌ଡିପିଓ ମିଳିତ ଭାବେ ୮ ଟ୍ରାକ୍ଟର, ୧ ଡମ୍ପର ଓ ଅନ୍ୟ ଏକ ଜେସିବି ଜବତ କରିବା ସହିତ ସେମାନଙ୍କଠାରୁ ୨ଲକ୍ଷ ୮୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।
ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ଅଦ୍ୟାବଧି ୨୩ଟି ଯାକ ବାଲି ସଇରାତ ନିଲାମ ସରି ନ ଥିବାରୁ ବ୍ୟାପକ ବାଲି ଚୋରାରେ ଚାଲାଣ ହୋଇଆସୁଛି। ଫଳରେ ପ୍ରତି ଟ୍ରାକ୍ଟର ବାଲିର ଦାମ୍‌ ୪/୫ଶହ ଟଙ୍କା ହେବାକୁ ଥିବା ବେଳେ ବାସ୍ତବରେ ୩ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ା ବାଲି ମାଫିଆମାନେ ଅଧିକ ଲାଭ ପାଇବା ଆଶାରେ ଚୋରାଚାଲାଣକୁ ଦ୍ୱିଗୁଣିତ କରିଛନ୍ତି। ପ୍ରଶାସନ ପକ୍ଷରୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ା ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆର୍‌ଆଇ ଦିଲୀପ ଚନ୍ଦ, ଶରତ ବେହେରା, ସୁପରଭାଇଜର ଶୁଭେନ୍ଦୁ ସାହୁ, ଇନ୍ସପେକ୍ଟର ପ୍ରତାପ ଭଞ୍ଜ ଓ ସଞ୍ଜୟ ମଣ୍ଡଳ ପ୍ରମୁଖ ସଦଳବଳେ କଣ୍ଟାପାଳ ଓ ମାଗୁଣିଆପଡାଠାରେ ଥିବା ବାଲିଖାଦାନ ଉପରେ ଚଢାଉ କରିଥିଲେ ା କଣ୍ଟାପାଳଠାରୁ ୧ ଡମ୍ପର, ୧ ଜେସିବି ଓ ୫ ଟ୍ରାକ୍ଟର ଜବତ କରାଯାଇଛି। ସେହିଭଳି ମାଗୁଣିଆପଡାଠାରେ ୩ ଟ୍ରାକ୍ଟର ଜବତ କରାଯାଇଛି ା ଜବତ ଗାଡିଗୁଡିକରୁ ମୋଟ ୨ଲକ୍ଷ ୮୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।