ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ଗଞ୍ଜେଇ ଚାଲାଣକାରୀ ଦିଗପହଣ୍ଡି ଥାନା ପୋଡାସିଙ୍ଗ ଗ୍ରାମର କେ.ବିକ୍ରମ ସୁବୁଦ୍ଧି(୨୬)ଙ୍କୁ ଜଜ୍‌ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିକ୍ରମଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦାୟ ଅଭିଯୁକ୍ତଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାକୁ ତାଙ୍କ ରାୟରେ ଉଲ୍ଲେଖ ରହିଛି ।

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁର ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ତତ୍କାଳୀନ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ନେତୃତ୍ୱରେ ଏକ ଟିମ ଚିକିଟି ଧାନଘର ନିକଟ କେଲୁଆଠାରେ ଛକି ରହିଥିଲେ । କେଲୁଆ ସ୍ଥିତ ତାରାତାରିଣୀ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଟ୍ରକ ଭିତରୁ ୮ଟି ଜରିବସ୍ତାରେ ୩୨୦ କେଜି ଗଞ୍ଜେଇ ଜବତ କରିଥିଲା । ୪ଗୋଟି ଗାଡ଼ି ମଧ୍ୟ ଜବତ ହୋଇଥିଲା। ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସୱତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମକଦ୍ଦମା ପରିଚାଳନା କରିଥିଲେ ।

Share