ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର କରି ୧୦ ବର୍ଷ ଜେଲ

କେନ୍ଦ୍ରାପଡ଼ା,୩୦ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ୍‌ କୋର୍ଟ ଏକ ବଳାତ୍କାର ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ଜଜ୍‌ ତ୍ରିବିକ୍ରମ କେଶରୀ ଚିନ୍ନରା ମାମଲାର ଶୁଣାଣି କରି ଅଭିଯୁକ୍ତ ଖୋର୍ଦ୍ଧା ଜିଲା ମଞ୍ଚେଶ୍ୱର ଥାନା ଓସ୍ତପଡ଼ା ଗ୍ରାମର ତପନ କୁମାର ସାହୁଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଜରିମାନା ବାବଦ ୧୦ହଜାର ଟଙ୍କା ଅନାଦାୟ ଅଧିକ ବର୍ଷେ କାରାଦଣ୍ଡ ଆଦେଶ ରାୟରେ ଉଲ୍ଲେଖ କରିଛନ୍ତି।

ଏହି ସମ୍ପର୍କରେ ଆଡିସନାଲ ପିପି ସଞ୍ଜୟ କୁମାର ଜେନା କହିଛନ୍ତି, ପାଟକୁରା ଥାନା ଅଞ୍ଚଳର ପୀଡ଼ିତା ମହିଳା ଭୁବନେଶ୍ୱରରେ ରୁହନ୍ତି। ସେ ୨୦୧୪ରେ ଗାଁକୁ ଆସିଥିବା ବେଳେ ସ୍ବାମୀଙ୍କ ସାଙ୍ଗ ତପନ ଘରକୁ ଆସିଥିଲେ। ସନ୍ଧ୍ୟା ହୋଇଯାଇଥିବା ଆଳ ଦେଖାଇ ଫେବୃୟାରୀ ୨୬ରେ ଘରେ ରହିବା ପାଇଁ ତପନ ବନ୍ଧୁ ପତ୍ନୀଙ୍କୁ ଅନୁରୋଧ କରିଥିଲେ। ସେହି ରାତିରେ ମହିଳାଙ୍କୁ ତପନ ବଳାତ୍କାର କରିଥିଲେ। ୨୦୧୫ ଜୁନ୍‌ ୧ରେ ମହିଳାଙ୍କ ସ୍ବାମୀଙ୍କୁ ତପନ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ପରେ ଏହି ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ବଳାତ୍କାର ଦ୍ୱାରା ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିବା ଡିଏନ୍‌ଏ ଟେଷ୍ଟରୁ ଜଣାପଡ଼ିଥିଲା। ୧୪ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତିକରି ଅଭିଯୁକ୍ତ ତପନ ଦୋଷୀ ସାବ୍ୟସ୍ତ ହୋଇଥିବା ଆଡିସନାଲ ପିପି ଜେନା ସୂଚନା ଦେଇଛନ୍ତି।

Share