ନିଯୁକ୍ତି-ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତା-ପେପର ଲିକ୍‌ କଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହିତ ୧ କୋଟି ଜରିମାନା: ବିଲ୍‌ ଲୋକସଭାରେ ପାରିତ…

ନୂଆଦିଲ୍ଲୀ,୬।୨ : ସରକାରୀ ନିଯୁକ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଏବଂ ନକଲି ୱେବସାଇଟ ଭଳି ଅନିୟମିତତା ବିରୋଧରେ ବିଲ୍‌ ଲୋକସଭାରେ ମଙ୍ଗଳବାର ପାରିତ ହୋଇଛି।

ଲୋକସଭାରେ ବିଲ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ସ୍ପଷ୍ଟ କରିଛନ୍ତି ଛାତ୍ରୀଛାତ୍ର କିମ୍ବା ପ୍ରାର୍ଥୀ ଏହି ଆଇନର ଅଧୀନରେ ନାହାନ୍ତି ଏବଂ ପ୍ରାର୍ଥୀମାନେ ଏହା ମାଧ୍ୟମରେ ହଇରାଣ ହେବେ ନାହିଁ। ସେ କହିଛନ୍ତି, ଯେଉଁମାନେ ଏହି ପରୀକ୍ଷା ପ୍ରଣାଳୀରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଏହି ନିୟମ ଅଣାଯାଇଛି।
ନିଯୁକ୍ତି-ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତା-ପେପର ଲିକ୍‌ କଲେ ଅଭିଯୁକ୍ତଙ୍କୁ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ସହିତ ନ୍ୟୁନତମ ୧ କୋଟି ଜରିମାନା ଦଣ୍ଡାଦେଶ କରାଯିବ।

ସିଂ କହିଛନ୍ତି ଏହି ବିଲ ରାଜନୀତିଠାରୁ ଉଦ୍ଧ୍ୱରେ ଏବଂ ଦେଶର ପୁଅ ଓ ଝିଅଙ୍କ ଭବିଷ୍ୟତ ସହିତ ଜଡିତ। ମନ୍ତ୍ରୀଙ୍କ ଉତ୍ତର ପରେ ଗୃହରେ ଭଏସ ଭୋଟରେ ବିଲ ପାରିତ ହୋଇଛି। ଅନିୟମିତତା ଯୋଗୁ ପରୀକ୍ଷା ବାତିଲ ହେଲେ ପୁନଃପରୀକ୍ଷା ପାଇଁ ଏକ ସମୟ ସୀମା ସ୍ଥିର କରିବାକୁ କିଛି ସଦସ୍ୟଙ୍କ ପରାମର୍ଶରେ ସିଂ କହିଛନ୍ତି ଏଭଳି ମାମଲାରେ ସିବିଆଇ ତଦନ୍ତ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ ହେବ, ତେଣୁ ସୀମା ସ୍ଥିର କରିବା ସମ୍ଭବ ନୁହେଁ, କିନ୍ତୁ ସେମାନଙ୍କୁ ଠିକ ସମୟରେ କରିବାକୁ ସରକାର ଉଦ୍ୟମ କରିବାକୁ ପଡିବ ।

 

Share