ଯୁବତୀଯୁବକଙ୍କୁ ୧୦ ବର୍ଷ ଗାଁ ମନା

କାଳିଆପାଣି,୧୬ା୩(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଗଁାରେ ପ୍ରେମ ବିବାହକୁ ନେଇ କଙ୍ଗାରୁକୋର୍ଟ ହୋଇଛି। କୋର୍ଟ ନିଷ୍ପତ୍ତି ଅନୁସାରେ ପ୍ରେମ ବିବାହ କରିଥିବା ଯୁବତୀଯୁବକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଗଁାରେ ପଶିବାକୁ ମନା କରାଯାଇଛି। ଏଥିସହିତ ତାଙ୍କୁ ସହଯୋଗ କରିଥିବା ଜଣେ ଯୁବକଙ୍କୁ ୧୦ ହଜାର ଟଙ୍କା ଜରିମନା ଦେବାକୁ ଆଦେଶ ହୋଇଛି। ଏହା ମଧ୍ୟରେ ନବଦମ୍ପତି ଗଁାକୁ ଆସିଥିଲେ ମଧ୍ୟ ସେମାନଙ୍କୁ ରହିବାକୁ ସୁଯୋଗ ଦିଆଯାଇନାହିଁ। ଫଳରେ ସେମାନେ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।
ଯୁବତୀଯୁବକ ଗୋଟିଏ ଗଁାର ହୋଇଥିବାବେଳେ ଦୀର୍ଘଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିଲା। ତେବେ ଯୁବତୀଙ୍କ ବଡ଼ ଭଉଣୀ ବିବାହ ନ କରିବା ପର୍ଯ୍ୟନ୍ତ ଏମାନଙ୍କ ବିବାହ ସମ୍ଭବ ହୋଇ ନ ଥିଲା। ଏପରି କି ପୁଅ ଅନ୍ୟଜାତିର ହୋଇଥିବାରୁ ଯୁବତୀଙ୍କ ପରିବାର ବିବାହକୁ ବିରୋଧ କରୁଥିଲେ। ଏହାମଧ୍ୟରେ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ନେଇ ଫେରାର ହେବାସହ କୋର୍ଟରେ ବିବାହ କରିଥିଲେ। ମାତ୍ର ସେମାନଙ୍କ ଫେରାର ଓ ବିବାହକୁ ନେଇ ଗ୍ରାମରେ ଯୁବତୀଙ୍କ ପରିବାର ପକ୍ଷରୁ କେତେଜଣ ମୁରବୀ ଶ୍ରେଣୀର ଲୋକଙ୍କ ମିଳିତ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଏହି ବେଆଇନ ନିଷ୍ପତ୍ତିକୁ ଗ୍ରାମର ଯୁବକମାନେ ବିରୋଧ କରିଛନ୍ତି। ଯୁବକ ଗଁା ନିକଟ ଏକ କମ୍ପାନୀରେ ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ଅଧିକ ଦିନ କାମରେ ଅନୁପସ୍ଥିତ ରହିଲେ ଚାକିରି ଚାଲିଯିବା ଭୟ ମଧ୍ୟ ରହିଛି। ଏ ସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ ମିଶ୍ରଙ୍କୁ ପଚାରିବାରେ ତାଙ୍କ ନିକଟରେ ଏଭଳି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।