ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ସଂସଦ ଅଧିବେଶନରେ ଧାମରାରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ବତନ୍ତ୍ର ଟ୍ରମାକେୟାର ସେଣ୍ଟର ଖୋଲାଯିବାକୁ ଦାବି କରିଛନ୍ତି। ଭଦ୍ରକ ସଦର ମହକୁମାରୁ ୮୫ କି.ମି. ଦୂର ଧାମରାଠାରେ ଏପିଜେ ଅବଦୁଲ କଲାମ ହ୍ବିଲର ଦ୍ୱୀପରୁ ପ୍ରତିରକ୍ଷା ବିଭାଗ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥାଏ। ପ୍ରତିରକ୍ଷା ବିଭାଗ ସହ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ନିଜ ପରିବାର ସହ ଧାମରାରେ ବସବାସ କରୁଛନ୍ତି। କିନ୍ତୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉ ନ ଥିବାରୁ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଧାମରାରୁ ୫୦ କି.ମି. ଦୂର ବାସୁଦେବପୁର ଓ ୮୫ କି.ମି. ଦୂର ଭଦ୍ରକ ସଦର ହସ୍ପିଟାଲକୁ ଯିବାକୁ ପଡୁଛି। ଏହି କାରଣରୁ ଅନେକ ସମୟରେ ରୋଗୀ ଡାକ୍ତରଖାନାରେ ପହଞ୍ଚତ୍ବା ପୂର୍ବରୁ ମୃତ୍ୟୁ ଘଟୁଛି। ସ୍ବାସ୍ଥ୍ୟସେବାର ଗୁରୁତ୍ୱକୁ ଉପଲବ୍ଧି କରି ଏମ୍ପି ମଣ୍ଡଳ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କଠାରେ ଏହି ଦାବି ରଖିଛନ୍ତି।