ମସ୍ତିଷ୍କରେ ଫସିରହିଥିଲା ଗୁଳିର ୧୦୦ ଖଣ୍ଡ: ଏଭଳି ଡାକ୍ତର ବଞ୍ଚାଇଲେ ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡାକ୍ତରମାନେ ନିଆରା ଅପରେଶନ୍‌ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋନିଆ ବିହାରର ୩୯ ବର୍ଷୀୟ ରାଧେଶ୍ୟାମଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଏହାପରେ ତାଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। କିନ୍ତୁ ଅପରେଶନ୍‌ ପାଇଁ ଜୁଲାଇ ୨୩ରେ ତାଙ୍କୁ ସର ଗଙ୍ଗାରାମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ହସ୍ପିଟାଲରେ ପହଞ୍ଚିବା ବେଳକୁ ରାଧେଶ୍ୟାମଙ୍କ ମୁଣ୍ଡର ରକ୍ତ ସ୍ରାବ ହେବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ଏହି ଘଟଣାରେ ଉକ୍ତ ହସ୍ପିଟାଲର ଡାକ୍ତରମାନେ ତତ୍ପରତା ଦେଖିବା ସହ ସଙ୍ଗେ ସଙ୍ଗେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ସିଟି ସ୍କାନ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ରାଧେଶ୍ୟାମଙ୍କ ମୁଣ୍ଡରେ କେତେଗୁଡ଼ିଏ ଫ୍ରାକ୍‌ଚର ହେବା ସହ ମସ୍ତିଷ୍କ ଭିତରେ ଗୁଳିର ୧୦୦ଖଣ୍ଡ ଫସିହୋଇ ରହିଛି।

ଏହାପରେ ବିଳମ୍ବ ନ କରି ତାଙ୍କର ଅପରେଶନ୍‌ କରାଯାଇଥିଲା। ତାଙ୍କର କରୋନା ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇ ନ ଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତେବେ ଦୀର୍ଘ ୫ଘଣ୍ଟା ଧରି ଚାଲିଥିବା ଅପରେଶନ୍‌ ପରେ ଡାକ୍ତରଙ୍କୁ ସଫଳତା ମିଳିଥିଲା। ବର୍ତ୍ତମାନ ରାଧେଶ୍ୟାମଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କୁ ଡିସ୍‌ଚାର୍ଜ କରିଦିଆଯିବ ବୋଲି ଡାକ୍ତର କହିଛନ୍ତି। ସର ଗଙ୍ଗାରାମ ହସ୍ପିଟାଲର ଡାକ୍ତରଙ୍କ ସଫଳ ଚିକିତ୍ସା ଓ ଉପସ୍ଥିତ ବୁଦ୍ଧି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କରୋନା କାଳରେ ଡାକ୍ତରମାନେ ନିଜର ମାନବିକତା ଦେଖାଇଥିବାରୁ ରୋଗୀଙ୍କ ପରିବାର ଲୋକ, ପ୍ରଶାସନ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଭୂୟଂସି ପ୍ରଶଂସା କରିଛନ୍ତି।

Share