Categories: ଜାତୀୟ

ଭାରତରେ ଦିନକୁ ୧୦୦ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୩୦ା୩: ବ୍ୟାଙ୍କ ଠକେଇ ଓ ଦୁର୍ନୀତି ଯୋଗୁ ଗତ ୭ ବର୍ଷ ହେଲା ଭାରତ ଦୈନିକ ଅନୂ୍ୟନ ୧୦୦ କୋଟି ଟଙ୍କା ହରାଇଆସୁଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ତଥ୍ୟରୁ ଜଣାପଡ଼ିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଥିବା ମହାରାଷ୍ଟ୍ରରେ ସର୍ବାଧିକ ୫୦% ବ୍ୟାଙ୍କ ଠକେଇ ହେଉଛି। ଏହା ପଛରେ ଦିଲ୍ଲୀ, ତେଲଙ୍ଗାନା, ଗୁଜରାଟ ଓ ତାମିଲନାଡୁ ରହିଛି। ଏହି ୫ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି, ଯାହାକି ମୋଟ ଆର୍ଥିକ ଠକେଇର ୮୩% ବୋଲି ଆର୍‌ବିଆଇ ରିପୋର୍ଟରେ ଦର୍ଶାଯାଇଛି। ୨୦୧୫ ଏପ୍ରିଲ ୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ ୨.୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଠକେଇ ହୋଇଥିବା ସାମ୍ନାକୁ ଆସିଥିଲା। ତେବେ ଏଭଳି ଠକେଇ ଧରିବା ପାଇଁ ପଦକ୍ଷେପ ନିଆଯାଉଥିବାରୁ ଏହା ହ୍ରାସ ପାଉଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୫-୧୬ରେ ୬୭,୭୬୦ କୋଟି ଟଙ୍କାର ଠକେଇ ହୋଇଥିବାବେଳେ ୨୦୧୬-୧୭ରେ ଏହା ୫୯,୯୬୬.୪ କୋଟିକୁ ହ୍ରାସ ପାଇଥିଲା। ଏହାର ପରବର୍ତ୍ତୀ ଦୁଇ ଆର୍ଥିକବର୍ଷରେ ଦେଶରେ ୪୫,୦୦୦ କୋଟିର ବ୍ୟାଙ୍କ ଠକେଇ ହୋଇଥିଲା। ୨୦୧୯-୨୦ରେ ଏହି ପରିମାଣ ୨୭,୬୯୮.୪ କୋଟି ଏବଂ ୨୦୨୦-୨୧ରେ ୧୦,୬୯୯.୯ କୋଟି ଟଙ୍କାର ଠକେଇ ଧରାପଡ଼ିଥିଲା। ଚଳିତ ଆର୍ଥିକବର୍ଷର ପ୍ରଥମ ୯ ମାସରେ ୬୪୭.୯ କୋଟି ଟଙ୍କା ଠକେଇ ହୋଇଥିବା ଆକଳନ କରାଯାଇଛି। ନିଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘର ପୂର୍ବତନ ଅଧ୍ୟକ୍ଷ ଓ୍ବାଇ. ସୁଦର୍ଶନ କହିଛନ୍ତି, ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଠକେଇ କମିବାରେ ଲାଗିଛି।

Share