Categories: ଜାତୀୟ

ଚାକିରି ଦେବାକୁ କହି ୧୦୦ କୋଟିର ଠକେଇ: ର଼୍ୟାକେଟରେ ୭୦ ବର୍ଷ ବୟସ୍କା ବୃଦ୍ଧା ସାମିଲ୍‌

ନୋଏଡ଼ା, ୨୯।୮: ଏକ ବଡ଼ ଧରଣର ଠକେଇ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ନୋଏଡ଼ା ପୋଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। ୧୦୦ କୋଟି ଟଙ୍କାର ଏହି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ରାଜେଶ କୁମାର ଫେରାର ହୋଇଯାଇଛନ୍ତି। ତେବେ ରାଜେଶଙ୍କ ୭୦ ବର୍ଷ ବୟସ୍କା ମା’ ସୀମା ଦେବୀ ଏଥିରେ ସାମିଲ ହେବାରେ ପ୍ରମାଣ ମିଳିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସୀମା ଦେବୀଙ୍କ ନାମରେ ଥିବା ବହୁ ନକଲି କାଗଜପତ୍ର ପୋଲିସ ଜବତ କରିଛି। ହାଇପର ମାର୍ଟ କମ୍ପାନୀ ନାମରେ ଠକେଇ ଅଭିଯୋଗରେ ୮ଟି ମୋକଦମା କରାଯାଇଥିବା ବେଳେ ୨୨ଟି ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଲୋକଙ୍କ ଚାକିରି ଦେବା ନାମରେ ଏବଂ ଫ୍ରାଞ୍ଚାଇଜ୍‌ ନେବା କହି ଠକେଇ ହୋଇଥିବା ପୋଲିସ କହିଛି। ଚଢ଼ାଉ ସମୟରେ ୧୧୭ ଏଟିଏମ୍‌ କାର୍ଡ, ୭୧ ପିନ୍‌ କୋଡ୍‌, ୯ ଆଧାର କାର୍ଡ, ୧୯ ଭୋଟର ପରିଚୟପତ୍ର, ୧୭ ଡ୍ରାଇଭିଂ ଲାଇସେନ୍ସ, ନକଲି ୨୩ ଷ୍ଟାମ୍ପ ଆଦି ଜବତ ହୋଇଛି। ଏହା ସହିତ ୩.୩୩୦ କିଲୋଗ୍ରାମ୍‌ ସୁନା ଅଳଙ୍କାର, ୨୪୨ଗ୍ରାମ୍‌ ଓଜନର ରୁପା ମୁଦ୍ରା ଏବଂ ୧୩ ଲକ୍ଷ ୫୪ ହଜାର ୫୫୦ ନଗଦ ଟଙ୍କା ଜବତ କରାଯାଇଛି।

Share