୧୦୦ କୋଟି ଯୁବପିଢ଼ି ଶ୍ରବଣଶକ୍ତି ହରାଇପାରନ୍ତି

ପ୍ୟାରିସ୍‌, ୧୭।୧୧: ନୂଆ ଟ୍ରେଣ୍ଡକୁ ଯୁବପିଢ଼ି ଅତି ସରାଗରେ ଆପଣାଇବାରେ ଲାଗିଛନ୍ତି। ଜୀବନକୁ ନିଜ ଇଚ୍ଛା ଅନୁସାରେ ଜୀଇଁବା ପାଇଁ ସେମାନେ ଓ୍ବିକେଣ୍ଡ୍‌ ପାର୍ଟି, ପବ୍‌ ଓ ମ୍ୟୁଜିକ୍‌ କନ୍‌ସର୍ଟରେ ମଜ୍ଜି ରହୁଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ ଲାଗୁଥିବା ଲାଉଡ୍‌ ମ୍ୟୁଜିକ୍‌ ସେମାନଙ୍କ ଶରୀର ପାଇଁ ଘାତକ ହେବା ଜାଣି ମଧ୍ୟ ସେମାନେ ଏହାକୁ ଅଣଦେଖା କରୁଛନ୍ତି। ଲାଉଡ୍‌ ମ୍ୟୁଜିକ୍‌ ବା ଉଚ୍ଚ ଶବ୍ଦଯୁକ୍ତ ସଙ୍ଗୀତ ଯୋଗୁ ଯୁବପିଢ଼ି ଶ୍ରବଣଶକ୍ତି ହରାଇବା ଆଶଙ୍କା ଥିବା ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) କହିଛି। ଏ ନେଇ ଡବ୍ଲ୍ୟୁଏଚ୍‌ଓ ନେତୃତ୍ୱରେ କରାଯାଇଥିବା ଅଧ୍ୟୟନ ଅନୁସାରେ ହେଡ୍‌ଫୋନ୍‌ ଓ ଲାଉଡ୍‌ ମ୍ୟୁଜିକ୍‌ କାରଣରୁ ବିଶ୍ୱରେ ୧୦୦ କୋଟି (୧ ବିଲିୟନ) ଯୁବପିଢ଼ି ଶ୍ରବଣଶକ୍ତି ହରାଇପାରନ୍ତି।

ଏ ନେଇ ସତର୍କତା ଅବଲମ୍ବନ କରିବା ସହ ସରକାର ଓ ହେଡ୍‌ଫୋନ୍‌ ନିମଣକାରୀ କମ୍ପାନୀ ଯୁବପିଢ଼ିଙ୍କ ଶୁଣିବାଶକ୍ତି ଯେପରି ପ୍ରଭାବିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ଏ ସଂକ୍ରାନ୍ତୀୟ ୩୩ଟି ଅଧ୍ୟୟନ ରିପୋର୍ଟ ବିଏମ୍‌ଜେ ଗ୍ଲୋବାଲ୍‌ ହେଲ୍‌ଥରେ ପ୍ରକାଶ ପାଇଛି, ଯାହା ଇଂଲିଶ, ସ୍ପାନିସ୍‌, ଫ୍ରେଞ୍ଚ୍‌ ଏବଂ ରୁଷିଆନ ଭାଷାରେ ଲେଖାଯାଇଛି। ଗବେଷକମାନେ ୨୦ ବର୍ଷ ଧରି ଶ୍ରବଣଶକ୍ତି ଜନିତ ଅଧ୍ୟୟନ କରୁଥିବାବେଳେ ୧୨ରୁ ୩୪ ବୟସ ବର୍ଗର ୧୯,୦୦୦ ଏଥିରେ ସାମିଲ ହୋଇଛନ୍ତି। ହେଡ୍‌ଫୋନ୍‌ ତଥା ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର କାରଣରୁ ୨୪% ଯୁବପିଢ଼ିଙ୍କ ଶ୍ରବଣ ସମ୍ବନ୍ଧୀୟ ଅସୁବିଧା ଥିବା ଗବେଷକ ଅନୁଧ୍ୟାନ କରିଥିବାବେଳେ ୪୮%ଙ୍କ ନଏଜ୍‌ ଲେବଲ ଖୁବ୍‌ ଉଚ୍ଚ ରହିଛି।

ଆଗାମୀ ଦିନରେ ୬,୭୦,୦୦୦ରୁ ୧୩୦ କୋଟି ଯୁବପିଢ଼ିଙ୍କ କ୍ଷେତ୍ରରେ ଶ୍ରବଣଜନିତ ସମସ୍ୟା ଦେଖାଦେଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ବିଶ୍ୱର ୪୩୦ ନିୟୁତ ଲୋକ ଏପ୍ରକାର ସମସ୍ୟା ଦେଇ ଗତି କରୁଥିବାବେଳେ ୨୦୨୫ବେଳକୁ ଏହି ସଂଖ୍ୟା ୭୦୦ ନିୟୁତରେ ପହଞ୍ଚତ୍ବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶ୍ରବଣଜନିତ ଭୟାବହତା ଦୂର କରିବା ପାଇଁ ଅତିକମ୍‌ ସମୟ ଓ କମ୍‌ ଭଲ୍ୟୁମ୍‌ରେ ହେଡ୍‌ଫୋନ୍‌ ବା ମୋବାଇଲ୍‌ ବ୍ୟବହାର ଜରୁରୀ ବୋଲି ସାଉଥ୍‌ କାରୋଲିନାର ମେଡିକାଲ ୟୁନିଭର୍ସିଟି ଅଡିଓଲୋଜିଷ୍ଟ ଲରେନ ଡିଲାର୍ଡ କହିଛନ୍ତି। ଭବିଷ୍ୟତରେ ହେବାକୁ ଥିବା ଶ୍ରବଣଶକ୍ତି ଜନିତ ବ୍ୟତିକ୍ରମ ଦୂର କରିବା ଲାଗି ବିଭିନ୍ନ ଦେଶର ସରକାର ମ୍ୟୁଜିକାଲ ପାର୍ଟି, ପବ୍‌, କନସର୍ଟ ଆଦିରେ ବ୍ୟବହାର କରାଯାଉଥିବା ଉଚ୍ଚ ଶବ୍ଦଯୁକ୍ତ ସଙ୍ଗୀତରେ ନିୟନ୍ତ୍ରଣ ଲଗାଇବା ଜରୁରୀ।

Share