Categories: ଫୁରସତ

ଚପଲର ଦାମ ୧୦୦ କୋଟି

ମୁମ୍ବାଇ: ମହିଳାମାନେ ବିଭିନ୍ନ ଡିଜାଇନର ଚପଲ ପିନ୍ଧିବାକୁ ପସନ୍ଦ କରନ୍ତି। ଚପଲର ଦାମ୍‌ ଯେତେ ହେଉନା କାହିଁକି ପସନ୍ଦ ଆସିଲା ମାନେ ନିଶ୍ଚିନ୍ତ କିଣିଥାନ୍ତି। ଏବେ ସେମିତି ଏକ ଦାମୀ ଚପଲକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକ ରିପୋର୍ଟ ଅନୁଯାୟୀ, ଇଟାଲୀ ଡିଜାଇନର୍‌ ଆଣ୍ଟୋନିଓ ଭିଏଟ୍ରି ଦୁବାଇରେ ଦୁନିଆର ସବୁଠାରୁ ଦାମୀ ଚପଲ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନ କରିବାକୁ ମନୋନୀତ ସ୍ଥାନ ମଧ୍ୟ ବହୁତ ସ୍ବତନ୍ତ୍ର ରହିଥିଲା। ସେ ଏହି ଚପଲକୁ ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ବୁର୍ଜ ଖଲିଫାରେ ପ୍ରଦର୍ଶନ କରିଥିଲେ। ଏହାର ନାମ ହେଉଛି ‘ମୁନ ଷ୍ଟାର ଶୁ’। ଏହି ଚପଲ ମାଧ୍ୟମରେ ସେ ଦୁନିଆର ସବୁଠୁ ବଡ଼ କୋଠାକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଥିଲେ। ଇଟାଲୀରେ ନିର୍ମିତ ଏମିରେଟ୍ସରେ ଡିଜାଇନ ହୋଇଥିବା ଏହି ଚପଲ ମିଡ୍‌ ଫ୍ୟାଶନ ସପ୍ତାହରେ ଲୋକଙ୍କ ମଧ୍ୟରେ ପରିଚିତ ହୋଇଥିଲା।
ଏବେ ପ୍ରଶ୍ନ ଉଠୁଛି, ଏହି ଚପଲ କାହିଁକି ଏତେ ମହଙ୍ଗା? ବାସ୍ତବରେ, ଏହି ଚପଲରେ ୩୦ କ୍ୟାରେଟ ହୀରା ଲାଗିଛି। ଚପଲର ଗୋଇଠି ସୁନାରେ ତିଆରି। କେବଳ ଏତିକି ନୁହେଁ, ଏହା ୧୫୭୬ରେ ଆର୍ଜେଣ୍ଟିନାରେ ପଡ଼ିଥିବା ଏକ ମେଟେରାଇଟରୁ ନିର୍ମିତ। ସେତେବେଳେ ଏହି ଚପଲର ମୂଲ୍ୟ ୧୯.୯ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୬୫ କୋଟି ଟଙ୍କା ଥିଲା। ଉଲ୍ଲେଖଥାଉ କି, ଆଣ୍ଟୋନିଓ ଭିଏଟ୍ରି ପ୍ରଥମ ଥର ନୁହେଁ ମୂଲ୍ୟବାନ ପଥରରୁ ଚପଲ ତିଆରି କରିଥିଲେ। ୨୦୧୭ରେ ସେ ୨୪ କ୍ୟାରେଟ ସୁନାରେ ନିର୍ମିତ ବିଶ୍ୱର ପ୍ରଥମ ଜୋତା ତିଆରି କରିଥିଲେ। ଯେଉଁମାନେ ଏହାକୁ କିଣିଥିଲେ, ହେଲିକପ୍ଟର ଯୋଗେ ଗ୍ରାହକଙ୍କୁ ବିତରଣ କରାଯାଇଥିଲା। ନିଲାମରେ ବିକ୍ରି ହୋଇଥିବା ଦୁନିଆର ସବୁଠୁ ଦାମୀ ସ୍ନେକର୍‌ ଜୋତା ହେଉଛି ନାଇକର ଏୟାର ଜୋର୍ଡାନ। ଯାହା ୧୭ ମେ’ ୨୦୨୦ରେ ୪ କୋଟିରେ ବିକ୍ରି ହୋଇଥିଲା। ଏହି ଜୋତାକୁ ମହାନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନ ୧୯୮୫ରେ ଏକ ଖେଳରେ ପିନ୍ଧି ଥିଲେ।

Share