ନୂଆଦିଲ୍ଲୀ,୨ା୩: : ପାଣିରେ ଭିଜିଲେ, ହାଡ଼ଭଙ୍ଗା ଶୀତରେ ଥରିଲେ। ଶତାଧିକ ଆଖି ବୁଜିଦେଲେ। କେତେବେଳେ ଖଲିସ୍ତାନୀ ଅପମାନ ତ ପୁଣି କେବେ ଆନ୍ଦୋଳନଜୀବୀ ନଚେତ୍ ଟୁଲ୍କିଟ୍ ଉପାଖ୍ୟାନ। ୨୦୨୦ ନଭେମ୍ବର ୨୬ର ‘ଦିଲ୍ଲୀ ଚଲୋ’ ଡାକରାକୁ ୧୦୦ ଦିନ ପୂରିବାକୁ ଯାଉଛି। ଖରା ଆସିଲାଣି। ହେଲେ ସରକାର ଦେଢ଼ ବର୍ଷିଆ ସ୍ଥଗିତ ବିକଳ୍ପରୁ ପାଦେ ବି ପଛଘୁଞ୍ଚା ଦେବାକୁ ନାରାଜ। କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ନ ହଟିଲେ ଘରକୁ ଯିବୁ ନାହିଁ ବୋଲି ପଣ କରିଥିବା ଚାଷୀ ଅଗତ୍ୟା ବାଛିନେଲେ ଧାରଣା ସ୍ଥଳରେ ବିଷ ପିଇ ଜୀବନ ହାରିବେ, ନଚେତ୍ ଖେତକୁ ଯାଇ ଫସଲ ଜାଳିବେ।
ଗହମର ଉଚିତ ମୂଲ୍ୟ ମିଳୁନାହିଁ। ସରକାର ଆମ କଥା ଶୁଣୁନାହାନ୍ତି। ଅଭାବୀ ବିକ୍ରି କରିବା ଅପେକ୍ଷା ଫସଲ ଜାଳିଦେବା ଭଲ। କିଛି ଅବସୋସ ନାହିଁ। କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଚାଷ ମଧ୍ୟ କରିବୁ ନାହିଁ। ଯଦି କରିବୁ, ଆମ ପାଇଁ ଯେତିକି ଦରକାର ସେତିକି କରିବୁ। ନିଜ ଲୁହଲହୁରେ ଉପତ୍ାଦିତ ଫସଲ ଉପରେ ଟ୍ରାକ୍ଟର ଚଳାଇବାବେଳେ ଏହା ଥିଲା ହରିୟାଣାର ଜଣେ କ୍ଷୁବ୍ଧ ଚାଷୀଙ୍କ କୋହପୂର୍ଣ୍ଣ ବୟାନ। ଏହା ଦିନକର କଥା କି ଗୋଟିଏ ସ୍ଥାନର ଦୃଶ୍ୟ ନୁହେଁ। ହରିୟାଣାର ଜିନ୍ଦ, କର୍ନାଲ, ଅମ୍ବାଲା ଏବଂ ଉତ୍ତରପ୍ରଦେଶର ମୁଜାଫରନଗର, ବିଜନୋର ସମେତ ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟହ ଏପରି ଖବର ଆସିବାରେ ଲାଗିଛି। କୃଷକ ନିଜ ଫସଲ ନଷ୍ଟ କରୁଥିବାବେଳେ ମୋବାଇଲରେ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି।
ଉତ୍ତର ଭାରତର ଚାଷୀ ନଡ଼ାମୂଳି ଜାଳି ଦିଲ୍ଲୀ-ଏନ୍ସିଆର ପରିବେଶ ଦୂଷିତ କରୁଥିବା ଖବର ଟିଭିରେ ଦେଖିବାକୁ ମିଳୁଥିଲା। ଏବେ ସେମାନେ ଫସଲ ଜାଳୁଛନ୍ତି । କିନ୍ତୁ କୌଣସି ଦାବିକୁ ନେଇ ଏଭଳି ଉପାୟ ଆପଣାଇବା କେତେ ଯୁକ୍ତିଯୁକ୍ତ? କେନ୍ଦ୍ର ଉପରେ ରାଗ ଶୁଝାଇବା ପାଇଁ ଫସଲ ଜାଳିବାର ଯଥାର୍ଥତା କେତେ ବୋଲି ସରକାର ସପକ୍ଷବାଦୀ ଗଣମାଧ୍ୟମ ଗୋଷ୍ଠୀ (ଗୋଦି ମିଡିଆ) ପ୍ରଶ୍ନ କରୁଛି। କାରଣ ଦେଶରେ ପ୍ରତିଦିନ ପ୍ରାୟ ୧୯ କୋଟି ଲୋକ ଭୋକ ଉପାସରେ ଶୁଅନ୍ତି। ଅସଂଖ୍ୟ ଶିଶୁ କ୍ଷୁଧା ଓ କୁପୋଷଣରେ ପଡ଼ି ଅକାଳରେ ଝଡ଼ିଯାଆନ୍ତି। ସେମାନଙ୍କ ଭାଗ୍ୟରେ ଦୁଇଓଳି ଖାଦ୍ୟ ଜୁଟେନାହିଁ। ଯଦି ଅନ୍ନଦାତା ଫସଲ ଜାଳିଦେବେ ସେମାନଙ୍କୁ କିଏ ଆହାର ଯୋଗାଇବ ବୋଲି ମିଡିଆର ପ୍ରଶ୍ନ।
ଲକ୍ଷ ଟ୍ରାକ୍ଟର ଧରି ପାର୍ଲାମେଣ୍ଟ ଘେରାଓର ଚେତାବନୀ ସରକାରଙ୍କୁ ଚିନ୍ତିତ କରୁନାହିଁ। ଗୋଟିଏ ପଟେ କେନ୍ଦ୍ର ଓ ଅନ୍ୟପଟେ କୃଷକ। ଉଭୟ ପକ୍ଷଙ୍କ ମଧ୍ୟରେ ଅଚଳାବସ୍ଥା ଦୂର ପାଇଁ ଏବେ କିଛି ଆଲୋଚନା ବି ହେଉନାହିଁ। ନିଜ ହକ୍ ପାଇଁ କଣ୍ଟକିତ ତାରବାଡ଼ରେ ଆଉ କେତେ ଦିନ ଚିତ୍କାର କରୁଥିବେ ଚାଷୀ? ଏହାକୁ ଲକ୍ଷ୍ୟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍’ ପୂର୍ବରୁ ଆହ୍ବାନ ଦେଇଥିଲେ, ‘କିଷାନ କୀ ବାତ୍, ଜବ୍ କୀ ବାତ କରୋ। ହିମ୍ମତ ହୈ ତୋ କରୋ’। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରୁ ଆସାମକୁ ନିର୍ବାଚନ ପ୍ରଚାରରେ ଯାଇପାରୁଛନ୍ତିି, କିନ୍ତୁ ୨୦ କି.ମି. ଦୂରରେ ଆନ୍ଦୋଳନରତ କୃଷକଙ୍କ ପାଖକୁ ଆଲୋଚନା ପାଇଁ ଯାଇପାରୁ ନାହାନ୍ତି। ଏହା ସତ୍ତ୍ୱେ ମୋଦି ଚାଷୀଙ୍କ ଆୟ ଦୁଇଗୁଣା କରିଦେଇଥିବା ଦାବି କରୁଛନ୍ତି। ଦେଶର ସମସ୍ତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଉଥିବା କହୁଛନ୍ତି, ଯେତେବେଳେ କି ପ୍ରକୃତରେ ମାତ୍ର ୬% କୃଷକଙ୍କୁ ଏମ୍ଏସ୍ପି ମିଳୁଛି ବୋଲି ଚିଦାମ୍ବରମ୍ ଟୁଇଟ୍ କରିଛନ୍ତି। ବିଡ଼ମ୍ବନା ଯେ, ଏମ୍ଏସ୍ପି ପାଉ ନ ଥିବା ଚାଷୀ ଏବେ ଏମ୍ଆର୍ପି ବା ସର୍ବାଧିକ ଖୁଚୁରା ମୂଲ୍ୟ ଦାବି କଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ କୃଷି ଆଇନକୁ କୃଷକଙ୍କ ପାଇଁ ମୃତ୍ୟୁର ପରୱାନା ସାଜି ଆସିଥିବା କେନ୍ଦ୍ରକୁ ସମାଲୋଚନା କରିଛନ୍ତି।
ଜାତୀୟ ଆନ୍ଦୋଳନ ରୂପ ନେଇଛି
୧. ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଆଣ୍ଡ କମର୍ସ (ପ୍ରମୋଶନ୍ ଆଣ୍ଡ ଫାସିଲିଟି) ଆକ୍ଟ
୨. ଫାମର୍ସ (ଏମ୍ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍ ପ୍ରାଇସ୍ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ ଆକ୍ଟ
୩. ଏସେନ୍ସିଆଲ କମୋଡିଟିଜ୍ (ଆମେଣ୍ଡମେଣ୍ଟ) ଆକ୍ଟ
ଉପରୋକ୍ତ ୩ କୃଷି ଆଇନକୁ ୨୦୨୦ ସେପ୍ଟେମ୍ବର ଶେଷରେ ଭାରତର ପାର୍ଲାମେଣ୍ଟରେ ଅତି ତରବରିଆ ଭାବେ ଗୃହୀତ କରାଇ ଦିଆଯାଇଥିଲା। ଏହାକୁ ବିରୋଧୀ ଦଳ ତୀବ୍ର ବିରୋଧ କରିଥିଲେ ମଧ୍ୟ ସେମାନଙ୍କ କଥା ସରକାର ଶୁଣି ନ ଥିଲେ। ଏହା ପୂର୍ବରୁ ସରକାର ଏଭଳି ଚାଷୀ ବିରୋଧୀ ଆଇନ ଆଣିବାକୁ ଯାଉଛନ୍ତି ବୋଲି ଜାଣି ପଞ୍ଜାବର କୃଷକମାନେ ୨୦୨୦ ଅଗଷ୍ଟ ୯ରୁ ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ନଭେମ୍ବର ୨୬ର ‘ଦିଲ୍ଲୀ ଚଲୋ’ ଡାକରାରେ କେବଳ ପଞ୍ଜାବ, ହରିୟାଣା କି ପଶ୍ଚିମ ଉତ୍ତରପ୍ରଦେଶର ଚାଷୀ ନୁହନ୍ତି, ପର୍ଯ୍ୟାୟକ୍ରମେ ସାରା ଦେଶର ଅନ୍ନଦାତା ସାମିଲ ହୋଇଛନ୍ତି। ରାଜସ୍ଥାନ, ଓଡ଼ିଶା, କର୍ନାଟକ, ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟର କୃଷକ ଏଥିରେ ଭାଗନେବା ପରେ ଏହା ଏକ ଜାତୀୟ ଆନ୍ଦୋଳନର ରୂପ ନେଇସାରିଛି।
ଆକ୍ଟିଭିଷ୍ଟଙ୍କୁ ଦମନ
କୃଷକ ଆନ୍ଦୋଳନ ପ୍ରତି ବିଦେଶୀ ସେଲିବ୍ରିଟିଙ୍କ ସମର୍ଥନକୁ ନେଇ କେନ୍ଦ୍ର ମନରେ ଜାତ ଭୟ ଦେଶରେ ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆ ପ୍ଲାଟ୍ଫର୍ମ ପାଇଁ ଆଇନକୁ ବଦଳାଇ ଦେଇଛି। ଦିଶା ରବି ଓ ନୋଦୀପ କୌର ଜେଲରେ ରହି ବାହାକୁ ଆସିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତାକୁ ନେଇ ଦିଲ୍ଲୀ ପୋଲିସ ମାର୍ଫତରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଯେ ଆଦୌ ଭଲ ନୁହେଁ, ତାହା ଉଭୟ ଆକ୍ଟିଭିଷ୍ଟଙ୍କ ଜାମିନ ଶୁଣାଣି ବେଳେ ଅଦାଲତ ସଙ୍କେତ ଦେଇଛନ୍ତି।
ମାନବାଧିକାର ହନନ
ଫେବୃୟାରୀ ୨୭ରେ ମାନବାଧିକାର ପରିଷଦ (ଏଚ୍ସିଏଲ୍)ର ୪୬ତମ ଅଧିବେଶନରେ ୫୦ ସଦସ୍ୟ ରାଷ୍ଟ୍ର ଉପସ୍ଥିତ ଥିଲେ। କୃଷକ ଆନ୍ଦୋଳନ ଉପରେ ରିପୋର୍ଟିଂ କରୁଥିବା ଖବରଦାତା ଓ ମନ୍ତବ୍ୟ ଦେଉଥିବା ଆକ୍ଟିଭିଷ୍ଟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ଏବଂ ସୋସିଆଲ ମିଡିଆର ସ୍ବାଧୀନତା ଛଡ଼ାଇନେବା ମୌଳିକ ମାନବାଧିକାର ସିଦ୍ଧାନ୍ତଗୁଡ଼ିକର ବିଚଳିତ କରିଦେବା ଭଳି ମୃତ୍ୟୁ ବୋଲି ସେଠାରେ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ (ୟୁଏନ୍ଏଚ୍ସିଆର୍) ମିଶେଲ ବାଚେଲେଟ୍ ଚେତାଇ ଦେଇଥିଲେ।
ଚାଷୀ ନିରୁପାୟ
ଫେବୃୟାରୀ ୧୮ରେ ଭାରତୀୟ କିଷାନ ୟୁନିୟନ୍ ମୁଖପାତ୍ର ରାକେଶ ଟିକାଏତ କହିଥିଲେ, ସରକାର ଟିଭିରେ ପ୍ରଚାର ଚଳାଇଛନ୍ତି ଯେ ଫସଲ ଯେମିତି ବି ହେଉ ଆସିଯିବ, ଚାଷୀ ଘରକୁ ଫେରିବାକୁ ବାଧ୍ୟହେବେ। ଏହାକୁ ମିଛ ପ୍ରମାଣିତ କରିବା ପାଇଁ ଚାଷୀମାନେ ଘରକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଫସଲ ଜାଳୁଛନ୍ତି। କେନ୍ଦ୍ର ଇଙ୍ଗିତରେ ଦିଲ୍ଲୀ ପୋଲିସ-ପ୍ରଶାସନର ବର୍ବର ବ୍ୟବହାରରେ ଅତିଷ୍ଠ ଚାଷୀ ଏହି ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ ନୂଆ ରଣନୀତି ଓ ଉପାୟ ପାଞ୍ଚତ୍ବା ଜରୁରୀ ବୋଲି ଅନେକେ ମତ ଦିଅନ୍ତି। କିନ୍ତୁ ସବୁ ପ୍ରକାର ଉଦ୍ୟମ କରିବା ପରେ ଏବେ ଚାଷୀ ନିରୁପାୟ।
ବିରୋଧୀ ଦୁର୍ବଳ
ସମ୍ଭବତଃ କୃଷି ଆଇନର ଅପମୃତ୍ୟୁ କେବେଠୁ ଘଟିସାରନ୍ତାଣି ଯଦି ଉତ୍ତର ଭାରତର କୌଣସି ରାଜ୍ୟରେ ନିର୍ବାଚନ ହେଉଥାଆନ୍ତା। ନିର୍ବାଚନମୁହଁ। ପଶ୍ଚିମବଙ୍ଗକୁ ଟ୍ରାକ୍ଟର ରାଲି କରିବେ ବୋଲି କୃଷକ ନେତା ରାକେଶ ଟିକାଏତ୍ କହୁଥିବାବେଳେ କେରଳରେ ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ କୃଷି ଆଇନକୁ ବିରୋଧ କରିଛନ୍ତି। ତେବେ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଆସାମ କି ପୁଡୁଚେରୀ କେଉଁଠି ବି ଚାଷୀଙ୍କ ସ୍ବାର୍ଥ କିମ୍ବା କୃଷି ଆଇନ ନିର୍ବାଚନୀ ପ୍ରସଙ୍ଗ ହୋଇ ନ ପାରିବା ବିରୋଧୀ ଦଳଗୁଡ଼ିକର ଦୁର୍ବଳତାକୁ ପଦାରେ ପକାଇଛି।
ବର୍ତ୍ତମାନ ସ୍ଥିତି
୨୦୨୦ ଅଗଷ୍ଟ ୯ରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନକୁ ସୋମବାର ୬ ମାସ ୨ ସପ୍ତାହ ୬ ଦିନ ପୂରିଛି। ବିବାଦୀୟ ୩ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ସୁନିଶ୍ଚିତ କରାଯିବା ସମେତ ଅନ୍ୟ କେତେକ ଦାବିରେ କୃଷକମାନେ ଦିଲ୍ଲୀର ୩ ସୀମାରେ ଅଡ଼ିବସିଛନ୍ତି। ଆନ୍ଦୋଳନରତ ଲକ୍ଷ ଲକ୍ଷ ଚାଷୀ ଘେରାଓ, ଧାରଣା, ରାସ୍ତା ରୋକୋ, ରେଳରୋକୋ, ବିକ୍ଷୋଭ ଓ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇଛନ୍ତି।
ପଟେ କେନ୍ଦ୍ର ସରକାର ଓ କୃଷି ମନ୍ତ୍ରଣାଳୟ ସମେତ ଭାଜପା ରହିଛି। ଅନ୍ୟପଟେ ଏହି ଆନ୍ଦୋଳନକୁ ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା ବ୍ୟାନରରେ ୪୦ କୃଷକ ଓ ଶ୍ରମିକ ସଙ୍ଗଠନ ରହିଛନ୍ତି। କୃଷକ ଆନ୍ଦୋଳନକୁ କଂଗ୍ରେସ, ଶିରୋମଣି ଅକାଳୀ ଦଳ, ଆମ୍ ଆଦ୍ମୀ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ (ମାର୍କ୍ସବାଦୀ) କମ୍ୟୁନିଷ୍ଟ ପାର୍ଟି, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଶିବସେନା ସମେତ ଅନେକ ରାଜନୈତିକ ଦଳର ସମର୍ଥନ ମିଳିଛି।
ଦୂର କରିବା ପାଇଁ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଗୋଟିଏ ପରେ ଗୋଟିଏ ୧୧ ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଛି। କିନ୍ତୁ ଅଦ୍ୟାବଧି କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଜାନୁୟାରୀ ୨୨ରେ ଶେଷଥର ଆଲୋଚନା ହୋଇଥିଲା।
ଦ୍ୱାଦଶ ପର୍ଯ୍ୟାୟ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବ ନେଇ ଆସିବା ଜରୁରୀ। -ରାକେଶ ଟିକାଏତ୍, ବିକେୟୁ ମୁଖପାତ୍ର
୨୬ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ କେତେକ ଅସାମାଜିକ ଗୋଷ୍ଠୀର ଦୌରାମତ୍ୟ ଦେଖିବାକୁ ମିଳିଥିଲା। ଏହି ହିଂସାରେ ୩୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ ଦାବି କରିଥିଲା।
୨୭ରୁ ଅଦ୍ୟାବଧି ୧୫୯ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୭ ଜଣ ଆମତ୍ହତ୍ୟା କରିଥିଲେ।