Categories: ଜାତୀୟ

୧୦୦ କି.ମି. କକ୍ଷ ନିକଟତର ହେଲା ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର ଚନ୍ଦ୍ରୟାନ-୩ ମହାକାଶ ଯାନର ଘୂର୍ଣ୍ଣନ ପଥ ହ୍ରାସ କରିଛି। ଏହି ମାନୋଭର ପୂର୍ବରୁ ଚନ୍ଦ୍ର ଚତୁର୍ପାର୍ଶ୍ୱରେ ଅଣ୍ଡାକୃତି କକ୍ଷପଥରେ ଗତି କରୁଥିବା ଚନ୍ଦ୍ରୟାନର ସର୍ବାଧିକ ଦୂରତା ୧,୪୩୭ କିଲୋମିଟର ଥିଲା। ଏବେ ଅଣ୍ଡାକୃତି ପଥକୁ ବର୍ତ୍ତୁଳାକାର କରିବା ପର୍ଯ୍ୟାୟ ଆରମ୍ଭ ହୋଇଛି। ସୋମବାରର କକ୍ଷପଥ ହ୍ରାସ ଫଳରେ ଚନ୍ଦ୍ରଠାରୁ ଚନ୍ଦ୍ରୟାନର ସର୍ବନିମ୍ନ ଦୂରତା ୧୫୦ କିଲୋମିଟର ଏବଂ ସର୍ବାଧିକ ଦୂରତା ୧୭୭ କିଲୋମିଟର ହୋଇଛି। ୧୬ ତାରିଖ ସକାଳ ୮ଟା ୩୦ରେ ହେବାକୁ ଥିବା ପରବର୍ତ୍ତୀ କକ୍ଷ ହ୍ରାସରେ ଏହା ଚନ୍ଦ୍ରଠାରୁ ୧୦୦ କିଲୋମିଟର ଦୂରତାରେ ପହଞ୍ଚତ୍ବ ବୋଲି ଇସ୍ରୋ କହିଛି। ଜୁଲାଇ ୧୪ରେ ଚନ୍ଦ୍ରୟାନ-୩ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପଣ ହେବା ପରେ ୧୫ରୁ ୨୫ ତାରିଖ ମଧ୍ୟରେ ୫ ଥର ପୃଥିବୀ କୈନ୍ଦ୍ରିକ ମାନୋଭର କରାଯାଇ ଏହାକୁ ୧.୨ ଲକ୍ଷ କିଲୋମିଟର ଦୂରତାରେ ପହଞ୍ଚାଯାଇଥିଲା। ଅଗଷ୍ଟ ୧ରେ ଚନ୍ଦ୍ରୟାନକୁ ଚନ୍ଦ୍ର ଅଭିମୁଖେ ଟ୍ରାନ୍ସ-ଲୁନାର ଇଞ୍ଜେକ୍‌ଶନ କରାଯାଇଥିଲା। ପ୍ରାୟ ୩.୬ ଲକ୍ଷ କିଲୋମିଟର ଅତିକ୍ରମ କରିବା ପରେ ଅଗଷ୍ଟ ୫ରେ ମହାକାଶ ଯାନ ଚନ୍ଦ୍ର କକ୍ଷପଥରେ ପହଞ୍ଚତ୍ଥିଲା। ଏହା ପରେ ୬ ଏବଂ ୯ ତାରିଖରେ ଦୁଇଟି ଚନ୍ଦ୍ରକୈନ୍ଦ୍ରିକ ମାନୋଭର କରାଯାଇ ଉପଗ୍ରହଠାରୁ ଏହାର ସର୍ବନିମ୍ନ ଦୂରତା ୧୭୪ କିଲେମିଟର ଏବଂ ସର୍ବାଧିକ ଦୂରତା ୧,୪୩୭ କିଲୋମିଟରକୁ ହ୍ରାସ କରାଯାଇଥିଲା। ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡରକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଇସ୍ରୋ ଯୋଜନା ରଖିଛି।

Share