ମୋଦି-ଶାହାଙ୍କ ବିରୋଧରେ ୧୦ କୋଟି ଡଲାରର ମାମଲା ଖାରଜ

ଓ୍ବାଶିଂଟନ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଦାଖଲ କରାଯାଇଥିବା ୧୦ କୋଟି ଡଲାରର ଏକ ମାମଲା ଖାରଜ ହୋଇଛି। ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲଜିତ୍‌ ସିଂ ଧିଲୋନଙ୍କ ନାମ ମଧ୍ୟ ଏହି ମାମଲାରେ ଉଲ୍ଲେଖ ରହିଥିଲା। ଆମେରିକାର ଟେକ୍ସାସ୍‌ ସ୍ଥିତ ଜିଲା କୋର୍ଟ ଏହାକୁ ଖାରଜ କରିଛନ୍ତି। ମାମଲା ଦାଖଲକାରୀ ଶୁଣାଣିରେ ଉପସ୍ଥିତ ନ ରହିବାରୁ ଏହାକୁ ଖାରଜ କରି ଦିଆଯାଇଛି। ୨୦୧୯ ସେପ୍ଟେମ୍ବରରେ ହ୍ୟୁଷ୍ଟନରେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମ ପରେ ଏହି ମାମଲା ଦାଖଲ କରାଯାଇଥିଲା। ଜମ୍ମୁ-କଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ନେଇ ସଂସଦର ନିଷ୍ପତ୍ତିକୁ ଏଥିରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା। ବିଚ୍ଛିନ୍ନତାବାଦୀ ସଂଗଠନ, ଖଲିସ୍ତାନୀ ସଂଗଠନ ଏବଂ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାଖଲ କରିଥିଲେ। କୋର୍ଟ ପକ୍ଷରୁ ୨ ଥର ଶୁଣାଣି ହୋଇଥିଲା। ତେବେ ଆବେଦନକାରୀଙ୍କ ପକ୍ଷରୁ କେହି କୋର୍ଟରେ ଉପସ୍ଥିତ ନ ଥିଲେ। ତେଣୁ ବିଚାରପତି ଆଣ୍ଡ୍ର୍ୟୁ ଏସ୍‌ ହାନେନ୍‌ ଏହାକୁ ଖାରଜ କରି ଦେଇଛନ୍ତି।

Share