Categories: ଖେଳ

ବିନା ଭ୍ୟାକ୍ସିନରେ ଆମେରିକାର ୧୦୦ ଆଥ୍‌ଲେଟ

ଟୋକିଓ, ୨୪।୭(ଏପି): ଅଲିମ୍ପିକ୍ସରେ ଭାଗ ନେବାଲାଗି ଟୋକିଓ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ୬୧୩ ଆଥ୍‌ଲେଟଙ୍କ ମଧ୍ୟରୁ ପ୍ରାୟ ୧୦୦ଜଣ କରୋନା ଭ୍ୟାକ୍ସିନ ନେଇ ନାହାନ୍ତି। ଶୁକ୍ରବାର ରାତିରେ ଉଦ୍‌ଘାଟନୀ ଉତ୍ସବର କେଇ ଘଣ୍ଟା ପୂର୍ବରୁ ଆମେରିକା ଅଲିମ୍ପିକ ଓ ପାରାଅଲିମ୍ପିକ କମିଟିର ମେଡିକାଲ ଚିଫ୍‌ ଏହି ସୂଚନା ଦେଇଛନ୍ତି। ମେଡିକାଲ ଡାଇରେକ୍ଟର ଜୋନାଥନ ଫିନଫ୍‌ କହିଛନ୍ତି ଆମେରିକାର ୫୬୭ ଆଥ୍‌ଲେଟ ସେମାନଙ୍କ ସ୍ବାସ୍ଥ୍ୟଗତ ରିପୋର୍ଟ ଦାଖଲ କରିଛନ୍ତି। ହିସାବ ଅନୁସାରେ ୮୩% ଆଥ୍‌ଲେଟ କରୋନା ଭ୍ୟାକ୍ସିନ ନେଇ ସାରିଛନ୍ତି। ଏହି ସଂଖ୍ୟ ମନ୍ଦ ନୁହେଁ ବୋଲି ଫିନଫ୍‌ କହିଛନ୍ତି। ସେଣ୍ଟ୍ରାଲ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନର ତଥ୍ୟାନୁସାରେ ଆମେରିକାରେ ଜାତୀୟ ସ୍ତରରେ ଅତିକମ୍‌ରେ ୫୬.୩% ଗୋଟିଏ ଡୋଜ୍‌ ନେଇସାରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ରିପୋର୍ଟ ଅନୁସାରେ ଅଲିମ୍ପିକ୍ସ ଭିଲେଜ୍‌ରେ ଅବସ୍ଥାନ କରୁଥିବା ଆଥ୍‌ଲେଟମାନଙ୍କ ମଧ୍ୟରୁ ୮୫% ଭ୍ୟାକ୍ସିନ ନେଇ ସାରିଛନ୍ତି। ପ୍ରତ୍ୟେକ ଦେଶ ଅଲିମ୍ପିକ କମିଟିକୁ ଦେଇଥିବା ରିପୋର୍ଟକୁ ଭିତ୍ତି କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ଆମେରିକାର ଦୁଇ ଆଥ୍‌ଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ହେଲେ ବିଚ୍‌ ଭଲିବଲ ଖେଳାଳି ଟେଲର କ୍ରାବ୍‌ ଓ ଅନ୍ୟ ଜଣେ କାରା ଇକର। ଆଇଓସି ରିପୋର୍ଟ ଅନୁସାରେ ଇତିମଧ୍ୟରେ ଜାପାନରେ ଆଥ୍‌ଲେଟମାନଙ୍କ ମଧ୍ୟରୁ ୧୩ଜଣ କୋଭିଡ୍‌ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।