ସମୁଦ୍ର କୂଳରେ ୧୦୦ ତିମି-ଡଲଫିନ୍‌ଙ୍କ ମୃତଦେହ: ଚିନ୍ତାରେ ପରିବେଶ ବିଜ୍ଞାନୀ

ଓ୍ବିଲିଙ୍ଗଟନ୍‌,୨୫।୧୧: ନ୍ୟୁଜିଲାଣ୍ଡର ସମୁଦ୍ର କୂଳରେ ତିମି ଏବଂ ଡଲଫିନ୍‌ଙ୍କ ମୃତ ଦେହ ଆସି ଜମା ହେବାରେ ଲାଗିଛି। ବୁଧବାର ସୁଦ୍ଧା ଚାଥମ୍‌ ଦ୍ୱୀପର ସମୁଦ୍ର କୂଳରେ ୯୭ ତିମି ଏବଂ ୩ଟି ଡଲଫିନ୍‌ଙ୍କ ମୃତ ଦେହ ଲାଗିଛି। ୨୬ ଜୀବିତ ତିମିଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରେ କେତେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ବାୟୋଡାଇଭରସିଟି ରେଞ୍ଜର ଜେମା ଓ୍ବେଳଚା ସୂଚନା ଦେଇଛନ୍ତି। ତିମିଗୁଡ଼ିକ ଜୁଆରରେ ଭାସି ଆସି ସମୁଦ୍ରକୂଳରେ ଲାଗିବା ପରେ ଗଭୀର ସମୁଦ୍ରକୁ ଯାଇ ପାରି ନ ଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ଏତେ ସଂଖ୍ୟକ ପାଇଲଟ ତିମିଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ପରିବେଶ ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। ପୂର୍ବରୁ ୧୯୧୮ରେ ଏହି ଦ୍ୱୀପର ସମୁଦ୍ର କୂଳରେ ଏକ ହଜାରରୁ ଅଧିକ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆର ସମୁଦ୍ର କୂଳରେ ଶତାଧିକ ତିମି ମରିପଡ଼ିଥିବାର ଦେଖାଯାଇଥିଲା।

Share